ସୁବର୍ଣ୍ଣପୁର: ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ଆଜି ସହରର ବିଜୁ ପଟ୍ଟନାୟକ ଛକରେ ଗଣ ବିକ୍ଷୋଭ କରାଯାଇଛି । ଏହି ଗଣ ଆନ୍ଦୋଳନରେ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ଶାଖା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକର୍ତା ମାନେ ଦୃଢ଼ ଭାବେ ସମର୍ଥନ କରି ସାମିଲ ହୋଇଛନ୍ତି । ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରୁଥିବା ଅଭିଯୋଗରେ ଏହି ଗଣ ବିକ୍ଷୋଭ କରାଯିବା ସହିତ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତା ,ଶ୍ରୀ ଜଗନ୍ନାଥ ପ୍ରେମୀ , ଶ୍ରୀ ଜଗନ୍ନାଥ ମନ୍ଦିର କମିଟିର କାର୍ଯ୍ୟକର୍ତା ତଥା ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତ ଆଦି ସାମିଲ ହୋଇଛନ୍ତି । ମଡେଲ ତଥା ସୋସିଆଲ ମିଡିଆ ଇନଫ୍ଲୁଏନସର ପରିଚୟ ଦେଉଥିବା ୟୁଟ୍ୟୁବର କାମିଆ ଜାନି ଶ୍ରୀ ଜଗନ୍ନାଥ ସଂସ୍କୃତିର ଅବମାନନା କରି ଅଭଡ଼ା ପରୀକ୍ଷା କରିବା ଓ ଶ୍ରୀ ମନ୍ଦିର ଆଗରେ ଫଟୋ ଉତ୍ତୋଳନ କରାଇ ତାର ପ୍ରଚାର କରିବା ବିରୁଦ୍ଧରେ ଏହି ଆନ୍ଦୋଳନ କରାଯାଇଛି ।
ପୂର୍ବରୁ କାମିଆ ଗୋ ମାଂସ ଭକ୍ଷଣ କରି ଭିଡିଓ ଦୃଶ୍ୟ ଉତ୍ତୋଳନ କରି ନିଜକୁ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରିଥିବା ୟୁଟ୍ୟୁବର କେଉଁ ପରିସ୍ଥିତିରେ ଓ କିଭଳି ଶ୍ରୀ ଜଗନ୍ନାଥଙ୍କ ଅଭଡ଼ାକୁ ନେଇ ଏପରି ପ୍ରଚାର କରିଛି ତାର ବିରୁଦ୍ଧରେ ଆଜି ଶ୍ରୀ ଜଗନ୍ନାଥ ପ୍ରେମୀ ସମବେତ ହୋଇ ପ୍ରତିବାଦ କରିଛନ୍ତି । ଶ୍ରୀ ଜଗନ୍ନାଥ ସଂସ୍କୃତିର ଆଦି କ୍ଷେତ୍ର ଓ ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁରରେ କାମିଆ ଜାନିଙ୍କ ଏହି କାର୍ଯ୍ୟକଳାପକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି । ତତ୍କାଳୀନ ଉତ୍କଳ ପ୍ରଦେଶର ରାଜଧାନୀ ଭାବେ ପରିଚିତ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ 196 ଗୋଟି ଶ୍ରୀ ଜଗନ୍ନାଥ ଓ ଦଧିବାମନଙ୍କ ମନ୍ଦିର ରହିଛି । ଶ୍ରୀ ଜଗନ୍ନାଥଙ୍କ ଉପରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗଭୀର ବିଶ୍ୱାସ ରହିଛି । ତେବେ କାମିଆଙ୍କ ଏହି କାର୍ଯ୍ୟ କଳାପ ଜିଲ୍ଲାର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି ।