ସୁବର୍ଣ୍ଣପୁର: ଆଜି (ଶନିବାର) ସପ୍ତପୁରୀ ଅମାବାସ୍ୟା (saptapuri amavasya) । ଏହି ଅବସରରେ ସୁବର୍ଣ୍ଣପୁର ସହରରେ ପାଳିତ ହେବ ଲଙ୍କାପୋଡି ପର୍ବ (lankapodi utsav celebration in subarnapur ) । ଜିଲ୍ଲାର ଏହି ଉତ୍ସବର ଏକ ସ୍ବତନ୍ତ୍ରତା ରହିଛି । ଛୋଟ ପିଲାଙ୍କୁ ଏଥିରେ ସାମିଲ କରି ବେଶ ଆଡ଼ମ୍ବରରେ ଏହା ପାଳନ କରାଯାଏ ।
ପରମ୍ପରା ମୁତାବକ ମଧ୍ୟାହ୍ନରେ ଛୋଟ ଛୋଟ ପିଲାଙ୍କୁ ନେଇ ଖେଳାଯାଏ (କାଞ୍ଚିକୁଡ଼ି) । ପୁଅପିଲାମାନେ କାଠ ତିଆରି ହାତୀଘୋଡାକୁ ନେଇ ପୁରା ଉଆଁସ ପର୍ବ ପାଳନ କରିଥାନ୍ତି । ସନ୍ଧ୍ୟାରେ ପର୍ବର ମୁଖ୍ୟ ଆକର୍ଷଣ ଲଙ୍କାପୋଡ଼ି ଉତ୍ସବ ହୋଇଥାଏ । ଛୋଟପିଲାମାନେ ହାତ ତିଆରି ଟେରାକୋଟାର ହନୁମାନଙ୍କ ଲାଙ୍ଗୁଡରେ ନିଆଁ ଲଗାଇ ସହରରେ ପରିକ୍ରମା କରିବେ ଏବଂ ଲୋକେ ସେମାନଙ୍କ ପଛରେ ଯାଇ କିରୋସିନି ଢାଳିବେ ।
ତେବେ ସାରା ଭାରତ ବର୍ଷରେ କେବଳ ସୁବର୍ଣ୍ଣପୁରରେ ହିଁ ଏହା ପାଳନ କରାଯାଏ । ଏକ ଭିନ୍ନ ଧରଣର ହନୁମାନ ମୂର୍ତ୍ତି ବ୍ୟବହାର କରାଯାଉଥିବାରୁ ଏହା ବେଶ ଆକର୍ଷଣୀୟ ଲାଗେ । ଏନେଇ ସୁବର୍ଣ୍ଣପୁର ବାସିନ୍ଦା କହିଛନ୍ତି, "ଐତିହାସିକମାନଙ୍କ ମତରେ ଏହା ହେଉଛି ପଶ୍ଚିମ ଲଙ୍କା । ରାମାୟଣ ଯୁଗରେ ପ୍ରଭୁ ହନୁମାନ ସୀତାଙ୍କୁ ରକ୍ଷା କରିବା ପାଇଁ ଯେଉଁଭଳି ଭାବେ ଲଙ୍କା ଦହନ କରିଥିଲେ, ସେହି ସ୍ମୃତିକୁ ବଜାୟ ରଖିବା ପାଇଁ ଲଙ୍କାପୋଡି ପର୍ବ ପାଳନ କରାଯାଏ ।"