ସୁବର୍ଣ୍ଣପୁର:ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଚୋରା ମଦ କାରବାର ଉପରେ ସ୍ପେଶାଲ ଡ୍ରାଇଭ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ନିର୍ଦ୍ଦେଶରେ ଜିଲ୍ଲାର ଅଭ୍ୟନ୍ତରରେ ଥିବା ଥାନଗୁଡିକୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ଆଭ୍ୟନ୍ତରରେ ବିଭିନ୍ନ ଜଙ୍ଗଲିଆ ଅଞ୍ଚଳରେ ତିଆରି ହେଉଥିବା ବେଆଇନ ଦେଶୀ ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଆରକ୍ଷୀ ଅଧିକ୍ଷକ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଶେଷ କରି ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଦେଶୀ ମଦ କାରବାରକୁ ରୋକିବାକୁ ସମର୍ଥ ହୋଇଥିଲେ । ତେବେ ନିର୍ବାଚନ ଶେଷ ହେବା ପରେ ପୁଣି ବେପାରୀ ମାନେ ତାଙ୍କ ବେଆଇନ କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଥିଲା । ତେବେ ପୋଲିସ ଏବେ ସକ୍ରିୟ ହୋଇ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ମଦ ଜବତ କରୁଥିବା ବେଳେ ମଦ ବେପାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ।