ସୁବର୍ଣ୍ଣପୁର:ଜିଲ୍ଲାର ପ୍ରାଚୀନ ବୈଦ୍ୟନାଥ ମନ୍ଦିରରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବର ବରାନୁଗମନ ପର୍ବ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋଭିଡ ମହାମାରୀ ପାଇଁ ଏହି ଯାତ୍ରା ଦୁଇ ବର୍ଷ ହେଲା କେବଳ ନୀତିକାନ୍ତିରେ ସୀମିତ ଥିବା ବେଳେ ଚଳିତ ଥର ଆଡମ୍ବରପୂର୍ଣ୍ଣ ଭାବେ ଏହି ଯାତ୍ରା ପାଳନ କରାଯାଉଛି । ଏଥର ସାଗରପାଲି ଗାଁର ଦେବେନ୍ଦ୍ର ମେହେର ବରପିତା ଓ ହରଡଖୋଲ ଗାଁର ରାଜୀବ ପୁରୋହିତ କନ୍ୟାପିତା ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ।
ଏହି ଯାତ୍ରା ପାଳନ କରିବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବା ବେଳେ ଦେବୋତ୍ତର ବିଭାଗର ଆର୍ଥିକ ସହାୟତା ଅତି କମ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାର୍ଷିକ କୋଶଳେଶ୍ବରଙ୍କ ଭୂ ସମ୍ପତ୍ତିରୁ ପ୍ରାୟ 10 ଲକ୍ଷରୁ ଅଧିକ ଟଙ୍କାର ଆୟ ହେଉଥିବା ବେଳେ ଯାତ୍ରା ପାଇଁ କେବଳ 30 ହଜାର ଟଙ୍କା ପ୍ରଦାନ କରାଯାଉଛି । ଫଳରେ କୋଶଳେଶ୍ବରଙ୍କ ଯାନିଯାତ୍ରା ପାଇଁ ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନଙ୍କୁ ନିରୁତ୍ସାହିତ କରାଯାଉଛି ବୋଲି ଅଭିଯୋଗ ହେଉଛି ।