ସୁବର୍ଣ୍ଣପୁର: ଅଜଣା ରୋଗରେ ମରିଗଲେ 20ଟି ମେଣ୍ଢା । ଏହା ସହି ନପାରି ଆତ୍ମହତ୍ୟା କଲେ ମେଷପାଳକ । ଏପରି ଚାଞ୍ଚଲ୍ୟ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚୌକିଯୋର ନିକଟରୁ ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର ବିନିକା ଏନଏସି ଅଧିନସ୍ତ ଚଉକିଯୋର କୋଲପଡାର ବିରେନ୍ଦ୍ର ମୁଣ୍ଡା (୪୫) ମେଣ୍ଢା ପାଳନ କରି ଜୀବିକା ନିର୍ବାହ କରି ଆସୁଥିଲେ । ତାଙ୍କର 3 ଟି ଝିଅ ଓ ଗୋଟିଏ ପୁଅ । କିଛି ଦିନ ଆରୁ ବିରେନ୍ଦ୍ରର ପ୍ରାୟ ୨୦ ଟି ମେଣ୍ଢା ଅଜଣା ରୋଗରେ ମୃତ୍ୟୁ ହୋଯାଇଥିବାରୁ ପରିବାର ଚଳାଇବାର କଷ୍ଟ ସାଧ୍ୟ ହୋଇଥିଲା । ସେହିଦିନ ଠାରୁ ବିରେନ୍ଦ୍ର ଚିନ୍ତା ଗ୍ରସ୍ଥ ରହିଥିବା ବେଳେ ଗୁରୁବାର ଆତ୍ମହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁସାରେ ପ୍ରତିଦିନ ଭଳି ଗୁରୁବାର ବିରେନ୍ଦ୍ର ଶୌଚ ପାଇଁ ବାହାରକୁ ଯାଇଥିଲେ । କିନ୍ତୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ସ୍ଥାନୀୟ ଲୋକ ବିରେନ୍ଦ୍ର ମୁଣ୍ଡା ଗଛରେ ଝୁଲୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏନେଇ ମୃତ ବିରେନ୍ଦ୍ରର ବଡ ଭାଇ ଉପେନ୍ଦ୍ର ମୁଣ୍ଡା ବିନିକା ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ । ଘଟଣାସ୍ଥଳକୁ ବିନିକା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ବିନିକା ଡାକ୍ତରଖାନାକୁ ପଠାଇଛି ।
ଏନେଇ ବିନିକା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ସେପଟେ ଅଭାବ ଅନାଟନ ସହିନପାରି ମେଷପାଳକ ଆତ୍ମହତ୍ୟା କରିଥିବା ଜନସାଧାରଣରେ ଆଲୋଚନା ହେଉଛି । ତେଣୁ ବିରେନ୍ଦ୍ର ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ