ସୁବର୍ଣ୍ଣପୁର: ଜଳୁଛି ସମଗ୍ର ସୁବର୍ଣ୍ଣପୁର । ସହରରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ବାତ୍ୟା ‘ଫନି’ ପରେ ପାରଦ ପୁଣି 45 ଡିଗ୍ରୀ ଉପରେ । ଖରା ତାତିରେ ଜନଜୀବନ ଅସ୍ତବ୍ୟସ୍ତ ।
ଏପଟେ ତାପମାତ୍ରା ବଢି ବଢି ଯାଉଥିବାବେଳେ ସୁବର୍ଣ୍ଣପୁର ରାଜ୍ୟର ଅନ୍ୟତମ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ପୂର୍ବରୁ ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳରେ ଅବସ୍ଥିତ ଐତିହାସିକ ସୁବର୍ଣ୍ଣପୁର ସହର ବୃକ୍ଷଲତାରେ ପରିପୂର୍ଣ୍ଣ ହୋଇ ଚୀର ସବୁଜ ଲାଗୁଥିଲା । ହେଲେ ସହରରେ ବିକାଶ ନାଁରେ ବ୍ୟାପକ ଗଛକଟା ହେବା ସାଙ୍ଗକୁ ମହାନଦୀ ଓ ତେଲନଦୀରେ ବର୍ଷକୁ ବର୍ଷ ପାଣି କମି କମି ଯାଉଥିବାରୁ ତାପମାତ୍ର ଧିରେ ଧିରେ ବଢିବାରେ ଲାଗିଛି ବୋଲି କୁହାଯାଉଛି ।
ସହରରେ ଥିବା ଅନେକ ଗଛ ପଦା ହୋଇଯିବାପରେ ମଣିଷ ସହିତ ଜୀବଜନ୍ତୁ ବି ଛାଇ ଟିକିଏ ଖୋଜି ପାଉ ନାହାନ୍ତି । ସେପଟେ ମହାନଦୀ ଓ ତେଲନଦୀର ବିସ୍ତୀର୍ଣ୍ଣ ବାଲୁକା ରାଶି ଓ ପଥରର ବିକିରଣରେ ସାରା ସହର ତତଲା କଡେଇରେ ଭାଜି ହେଉଛି ।