ସୁବର୍ଣ୍ଣପୁର: ଆଗକୁ ଆସୁଛି ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା । ବଳିଯାତ୍ରା କମିଟି ଓ ଦେବୋତ୍ତର ବିଭାଗ ମଧ୍ୟ ଯାତ୍ରା ପାଇଁ ନିଜକୁ ପ୍ରସ୍ତୁତ କରୁଛି । ହେଲେ ସେବାୟତମାନଙ୍କ ଅସହଯୋଗ ପାଇଁ ବଳି ଯାତ୍ରା ପାଳନ ଆଶା ଓ ଆଶଙ୍କା ଭିତରେ ରହିଛି । ରାଜାରାଜୁଡା ଅମଳରୁ ହଜାର ହଜାର ଏକର ଭୂ-ସମ୍ପତ୍ତି ଭୋଗ କରି ଆସୁଥିଲେ ହେଁ ଦେବୀ ସେବା ପୂଜା ଓ ବଳି ପାଳନ ପାଇଁ ଅମଙ୍ଗ ହେଉଛନ୍ତି ସେବାୟତ ।
ଭୂ-ଦଲିଲ ମୁତାବକ ପୂଜା ସେବା କରୁଥିବା ଯାଏଁ ସେବାୟତମାନେ ଭୂ-ସମ୍ପତ୍ତି ଭୋଗ କରିବେ । ଦେବୀ ପୀଠର ନିତି ଦିନିଆ ଖର୍ଚ୍ଚ ବି ତୁଲାଇବେ । ହେଲେ ଏହାକୁ ବେଖାତିର କରି ଅର୍ଥ ଦାବି କରୁଛନ୍ତି ସେବାୟତମାନେ ।
ଦେବୀମାନଙ୍କ ସେବା ପୂଜା ଓ ବଳି ଯାତ୍ରା ପାଇଁ ତତ୍କାଳୀନ ରାଜା ସକମା ଗାଁରେ 500 ଏକର ଜମିର ବ୍ୟବସ୍ଥା କରିଥିଲେ । ସେହିପରି ପୁରୋହିତ, ଡାଙ୍ଗୁଆ ଓ ଛିପି ଆଦି 36ଟି ସମ୍ପ୍ରଦାୟର ସେବାୟତମାନଙ୍କ ପାଇଁ ସଦର ମହକୁମାରେ 500 ଏକର ଜମିର ବ୍ୟବସ୍ଥା କରିଥିଲେ । ହେଲେ ପୀଢ଼ି ପରେ ପୀଢ଼ି ଭୂ-ସମ୍ପତ୍ତିକୁ ସେବାୟତମାନେ ଭୋଗ କରୁଥିଲେ ମଧ୍ୟ ପୂଜା ସେବାରୁ ନିଜକୁ ନିବୃତ୍ତ ରଖୁଛନ୍ତି ।