ଓଡିଶା

odisha

ETV Bharat / state

ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ପରେ ବଦଳିଲେ ସୁପରଭାଇଜର

ସୁପରଭାଇଜରଙ୍କ ବଦଳି ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ । କର୍ମୀମାନଙ୍କୁ ବିଭିନ୍ନ ପ୍ରକାରର ଧମକ ଚମକ ଦିଆଯାଉଥିବା ଅଭିଯୋଗ ।

ଫଟୋ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

By

Published : Nov 20, 2019, 6:33 PM IST

ସୁବର୍ଣ୍ଣପୁର: ବିନିକା ବ୍ଲକ ସିନ୍ଦୁରପୁର ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ଅଙ୍ଗନବାଡି କର୍ମୀମାନେ ସୁପରଭାଇଜରଙ୍କ ବଦଳି ଦାବିରେ ଆନ୍ଦୋଳନ କରୁଛନ୍ତି । ଗତ ନଭେମ୍ବର 9ରେ ସିନ୍ଦୁରପୁର ସୁପରଭାଇଜର ସୀତା ମେହେରଙ୍କ ବଦଳି ଦାବି କରି ଅଙ୍ଗନବାଡି କର୍ମୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

ଗତ 10 ଦିନ ହେଲା 41ଟି କେନ୍ଦ୍ରରେ ପାଚିକାମାନେ କାର୍ଯ୍ୟଭାର ନେଇ ଥିବା ବେଳେ ଅଙ୍ଗନବାଡ଼ି କର୍ମଚାରୀମାନେ ଛୁଟିରେ ଅଛନ୍ତି । ସୁପରଭାଇଜରଙ୍କ ବଦଳି ନହେବା ଯାଏଁ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସେମାନେ କହିଛନ୍ତି । ପୂର୍ବରୁ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଓ ସହାୟିକାମାନେ ସୁପରଭାଇଜରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଥିବା ସିଡିପିଓଙ୍କ ପାଖରେ ଅଭିଯୋଗ କରିଥିଲେ । କର୍ମୀମାନଙ୍କୁ ବିଭିନ୍ନ ପ୍ରକାରର ଧମକ ଚମକ ଦେବା ସହିତ ସରକାରୀ ନିର୍ଦ୍ଦେଶକୁ ଅବମାନନା କରୁଥିବା ଅଭିଯୋଗ ହୋଇଥିଲା ।

କର୍ମୀମାନଙ୍କ ଦାବି ପରେ ସିଡିପିଓ ଶୋଭାଙ୍ଗିନୀ ହରିପାଳ ସୁପରଭାଇଜର ସୀତା ମେହେରଙ୍କୁ ଅନ୍ୟତ୍ର ବଦଳି କରିଥିବା ଜଣାପଡ଼ିଛି । ଗୁରୁବାର କର୍ମଚାରୀମାନେ ନିଜ ନିଜ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details