ସୁବର୍ଣ୍ଣପୁର: ସହରର ଭଗବତୀପ୍ଳଟ ପଡାବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଶତାଧିକ ଜନସାଧାରଣ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଭଗବତୀ ମନ୍ଦିର ସମ୍ମୁଖରେ ଥିବା ୱାର୍ଡ ନଂ-14 ର ପୁରାତନ ବସ୍ତି ବାସିନ୍ଦାଙ୍କୁ ବାସଗୃହ ପଟ୍ଟା ଓ ଉନ୍ନତ ବାସଗୃହ ଯୋଗାଇ ଦେବା ପାଇଁ ଏହି ଆନ୍ଦୋଳନ କରିଛନ୍ତି ।
ଓଡିଶା ଭୂସଂସ୍କାର ଆଇନ 2017 ଅନୁଯାୟୀ ଏହି ବସ୍ତି ବାସିନ୍ଦାଙ୍କ ଦାବି ପୂରଣ କରିବା ପାଇଁ ଭଗବତୀପ୍ଲଟର ଜନସାଧାରଣ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଭଗବତୀ ମନ୍ଦିର ସାମ୍ନାରେ ଥିବା ସରକାରୀ ଯାଗାରେ କିଛି ପରିବାର ରହି ଆସୁଛନ୍ତି । ସରକାରଙ୍କ ଦ୍ବାରା ନିଯୁକ୍ତ ଉଷା ସର୍ଭେ ବସ୍ତି ଅଞ୍ଚଳକୁ ସର୍ଭେ କରିବା ସହିତ ବାସଗୃହ ନମ୍ବରିଂ କରି ଜମି ମାପ କରିଥିଲେ ।