ସୁବର୍ଣ୍ଣପୁର: କ୍ଷତିପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ବନ୍ୟା କ୍ଷତିଗ୍ରସ୍ତ । ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ନରଡ଼ା ଓ ତୁଲୁଣ୍ଡା ଗ୍ରାମର ଜନସାଧାରଣ ।
ସୂଚନା ମୁତାବକ, ଗତ ଅଗଷ୍ଟ 13 ରେ ହୋଇଥିବା ନିବୃତ୍ତୀ ଯୋର ବନ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାର ନରଡ଼ା ଓ ତୁଲୁଣ୍ଡା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହେଲେ ରାଜସ୍ବ ବିଭାଗଠାରୁ କ୍ଷତିଗ୍ରସ୍ତଙ୍କୁ ଏବେ ସୁଦ୍ଧା ମିଳିପାରି ନାହିଁ ଘରଭଙ୍ଗା ଟଙ୍କା । ଏହି ସରକାରୀ ସହାୟତା ରାଶୀ ମାତ୍ର କିଛି ଲୋକଙ୍କୁ ମିଳିଥିବା ବେଳେ ଅନେକ ଲୋକ ଏଥରୁ ବଞ୍ଚିତ ହୋଇଥିଲେ । ଏପରିକି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମିର କ୍ଷତିପୂରଣ ମଧ୍ୟ ମିଳିନ ଥିବା ଅଭିଯୋଗ ହୋଇଛି । ତେବେ ଏହି ସହାୟତା ରାଶି ପ୍ରଦାନରେ ବ୍ୟାପକ ରାଜନୀତି ଓ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।