ଓଡିଶା

odisha

ETV Bharat / state

ଜବରଦଖଲକାରୀଙ୍କ କବଜାରେ ସୁବର୍ଣ୍ଣପୁର

ସରକାରୀ ଜମି, ବଡ ବଡିଆଙ୍କ ରାଜ । ମାଲାମାଲ ଜବରଦଖଲକାରୀ, ପ୍ରଶାସନ ଚୁପ । କେବେ ଉଚ୍ଛେଦ ହେବେ ଜବରଦଖଲକାରୀ ?

By

Published : Jul 23, 2019, 3:02 PM IST

Updated : Jul 23, 2019, 7:37 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସହରରେ ଦିନକୁ ଦିନ ବଢିଚାଲିଛି ସରକାରୀ ଜମି ଜବରଦଖଲ । ଅଧିକାଂଶ ମୂଲ୍ୟବାନ ଜମି ଏବେ ଜବରଦଖଲକାରୀଙ୍କ କବଜାରେ । ଚାରୋଟି ୟୁନିଟର ମୂଲ୍ୟବାନ ଜମି ପୂର୍ବତନ ବିଧାୟକ, ପୂର୍ବତନ ନଗରପାଳ, ସରକାରୀ ଓକିଲ, ସାମ୍ବାଦିକ, ଶିକ୍ଷକ ତଥା ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ଜବରଦଖଲ କରି ରଖିଛନ୍ତି । ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଐତିହାସିକ ସହର ସୁବର୍ଣ୍ଣପୁର । ସହରର ବସ୍ତି ଅଞ୍ଚଳରେ ସାଧାରଣ ଲୋକେ ସରକାରୀ ଜମିରେ କୁଡିଆ ଘର ତିଆରି କରି ରହୁଛନ୍ତି । ହେଲେ ସରକାରୀ ଜମିକୁ କବଜା କରି ବିଳାସ ପୂର୍ଣ୍ଣ କୋଠା ନିର୍ମାଣ କରିଛନ୍ତି ବଡବଡିଆ । ସହରର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ତରଫରୁ ଗୋଟିଏ ଗୋଟିଏ ଜବରଦଖଲ ମାମଲା ରୁଜୁ କରି ଚୁପ ହୋଇ ବସିଛି ଜିଲ୍ଲା ପ୍ରଶାସନ । ଭଗବତୀ ପଡା, କୁମ୍ଭାର ପଡା, ପଟାଭାଡି ପଡା, ରାମଜୀ ନଗର, ଝୁପୁଡ଼ି ପଡା, ଖଡାଲ ପଡା ଆଦି ବସ୍ତିଗୁଡିକର ଅଧିକାଂଶ ମୂଲ୍ୟବାନ ଜମି ଜବରଦଖଲ ହୋଇଛି । ରାଜସ୍ବ ଅଧିକାରୀଙ୍କୁ ହାତେଇ ଏବେବି ସହରର ବିଭିନ୍ନ ଜାଗାରେ ଖାଲି ପଡିଥିବା ଜମି ଜବରଦଖଲ ଚାଲିଛି ।

କେବଳ ଜବରଦଖଲ କାହିଁକି, ଏବେ ସରକାରୀ ଜମି ବିକ୍ରି ବି ଚାଲିଛି । ପ୍ରଥମେ ସରକାରୀ ଜମି ଚିହ୍ନଟ କରି ନିଜ ଅଧୀନକୁ ନେଉଛନ୍ତି ଜବରଦଖଲକାରୀ । କିଛିଦିନ ଯିବା ପରେ ସେହି ଜମିକୁ ଭାଗ ଭାଗ କରି ବିଭିନ୍ନ ଲୋକଙ୍କ ପାଖରେ ବିକ୍ରି କରାଯାଉଛି । ସରକାରୀ ଭାବେ 690 ଜଣଙ୍କ ନାଁରେ ଜବରଦଖଲ ମାମଲା ରୁଜୁ କରାଯାଇଛି । ହେଲେ ହଜାରେରୁ ଅଧିକ ଲୋକ ସରକାରୀ ଜମି ଜବରଦଖଲ କରି ରଖିଥିବା ଜଣାପଡିଛି । ଏପରିକି ଜଣେ ଜଣେ ଲୋକ ତିନି ଚାରୋଟି ଯାଗାରେ ଜମି ଜବରଦଖଲ କରି ରଖିଛନ୍ତି ।

ଜବରଦଖଲ ଉପରେ ଅନୁସନ୍ଧାନ ଆରମ୍ଭ କରିଥିଲା ଇଟିଭି ଭାରତ । ସଦର ତହସିଲ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ବଳରେ ଆସିଛି ଏପରି ସାଙ୍ଘାତିକ ତଥ୍ୟ । ଅଧିକାଂଶ ଜବରଦଖଲ ବଡ ବଡିଆ ହିଁ କରିଛନ୍ତି । ଜବରଦଖଲକାରୀଙ୍କ ସଂଖ୍ୟା, ଜମିର କିସମ ଓ ପରିମାଣରୁ ଜଣାପଡୁଛି ପ୍ରାୟ 8ଶହ କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ହୋଇଛି । ହେଲେ ପ୍ରସଙ୍ଗକୁ ଅତି ହାଲୁକା ଭାବରେ ନେଇଛି ଜିଲ୍ଲା ପ୍ରଶାସନ ।

ଏଠାରେ ପ୍ରଶ୍ନ, ଜବରଦଖଲକାରୀଙ୍କ ପାଇଁ ପ୍ରଶାସନର ଏତେ ଦରଦ କାହିଁକି ? ବଡବଡିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ଡରୁଛି କି ପ୍ରଶାସନ ? ନା ଜବରଦଖଲକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଭିତରେ ହୋଇଛି କିଛି ଭିତିରିଆ ଡିଲ୍ ? ହେଲେ ଏହା ସତ ଯେ ଯଦି ଏ ସମସ୍ତ ଜମି ଜବରଦଖଲକାରୀଙ୍କୁ ଠାରୁ ପ୍ରଶାସନ ନିଜ ହାତକୁ ନେବ, ତେବେ ଏହାର ବିନିଯୋଗ କରି ବହୁ ବିକାଶମୂଳକ କାର୍ଯ୍ୟ ହୋଇପାରିବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jul 23, 2019, 7:37 PM IST

ABOUT THE AUTHOR

...view details