ସୁବର୍ଣ୍ଣପୁର:ସ୍ଥାନୀୟ ବୀରମହାରାଜପୁର ଥାନାରେ ପୋଲିସ ମାସ୍କ ଚେକିଂ କରୁଥିବା ବେଳେ ଘଟିଛି ଅଘଟଣ । ସାଧାରଣ ଲୋକଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଜନୈକ ଠେଲା ଦୋକାନୀକୁ ପୋଲିସ ମାଡ ମାରିବା ସହିତ ତାଙ୍କର ଠେଲା ଗାଡିରେ ଥିବା ଗରମ ତେଲ କଡେଇକୁ ଗ୍ୟାସରୁ ଫୋପାଡି ଦେଇଥିଲେ । ଫଳରେ ଗରିବ ଦୋକାନୀ ସୁଦାମ ବିଶ୍ବାଳ ଦେହରେ ଗରମ ତେଲ ପଡି ସେ ଗୁରୁତର ହୋଇ ପଡିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ପୋଲିସର ପିସିଆର ଭ୍ୟାନ ଷ୍ଟାଫ ଶୁକ୍ରବାର ସନ୍ଧ୍ୟା ପ୍ରାୟ 8ଟା ସମୟରେ ସହରରେ ମାସ୍କ ଚେକିଂ କରୁଥିଲେ । ଏହି ସମୟରେ ପୋଲିସ ଦଳର ନେତୃତ୍ବ ନେଉଥିବା ଥାନା ଏସଆଇ ବିଜୟ ବାରିକ ସାମ୍ବାଦିକ ଭବନ ଛକ ନିକଟରେ ପହଞ୍ଚ ଏକ ଟିଫିନ ଦୋକାନୀକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଗରମ ତେଲ କଡେଇକୁ ଗ୍ୟାସରୁ ଠେଲି ଦେଇଥିଲେ । ଫଳରେ ସେହି ତେଲ ଦୋକାନୀ ସୁଦାମ ବିଶ୍ବାଳର ଦେହରେ ପଡି ସେ ଗୁରୁତର ଆହତ ହୋଇ ପଡିଥିଲେ ।