ଓଡିଶା

odisha

ETV Bharat / state

ଦୃଷ୍ଟି ଆଢୁଆଳରେ ମହିମାଧର୍ମୀ ପୁସ୍ତକ, ପ୍ରକାଶନ ଓ ଅନୁବାଦ ପାଇଁ ଦାବି

ସନ୍ଥ କବି ଭୀମଭୋଇଙ୍କ କେତେକ କାଳଜୟୀ ପଂକ୍ତି ମହିମାଧର୍ମୀଙ୍କ ମୁଖରୁ ଶୁଣିବାକୁ ମିଳେ । କେବଳ ମହିମାଧର୍ମୀ ନୁହେଁ ସାହିତ୍ୟ ପ୍ରେମୀ ମଧ୍ୟ ଅନର୍ଗଳ ଗାଇ ପାରନ୍ତି କବିଙ୍କ କାବ୍ୟ । ହେଲେ ଆଜିବି ଭୀମଭୋଇଙ୍କ କେତେକ କାବ୍ୟ ପ୍ରକାଶିତ ହୋଇନଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : May 19, 2019, 6:51 PM IST

ସୁବର୍ଣ୍ଣପୁର: ରୂପ ରେଖ ନାହିଁ ହେ ଶୂନ୍ୟ ଦେହୀ ଅଛ ଉଦେ ହୋଇ । ପ୍ରତି ରାତିର ତରା ଉଦୟରେ ଏମିତି ଅନେକ ଭଜନ ଜଣାଣର ସ୍ବର ଭାସି ଆସୁଛି ସନ୍ଥ କବି ଭୀମଭୋଇଙ୍କ ସିଦ୍ଧି ସାଧନା ଓ ସମାଧି ପୀଠରୁ । ସନ୍ଥ କବି ଭୀମଭୋଇଙ୍କ ଏହି କାଳଜୟୀ ପଂକ୍ତି ଆଜି ବି ଆକର୍ଷିତ କରୁଛି ଅନେକ ଗବେଷକ ଓ ସାହିତ୍ୟ ରସିକଙ୍କୁ । ହେଲେ ଆଜି ବି ସନ୍ଥଙ୍କ କେତେକ କାବ୍ୟକବିତା, ଗ୍ରନ୍ଥାବଳୀ ପ୍ରକାଶନ ହେଉନଥିବା ବେଳେ ସାହିତ୍ୟର ପୁନଃରୁଦ୍ଧାର ଦିଗରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜିଲ୍ଲା ଖଲିଆପାଲିରେ ଥିବା ସନ୍ଥଙ୍କ ସମାଧି ପୀଠ ପାଲଟିଛି ଏବେ ପୂଣ୍ୟଭୂମି । କବିଙ୍କ ପୂଣ୍ୟ ଜନ୍ମତିଥି ହେଉ କି ଶ୍ରାଦ୍ଧ ଦିବସରେ ଆୟୋଜିତ ହୁଏ ସାରସ୍ବତ ସାହିତ୍ୟ ସମାରୋହ । କେବଳ ମହିମାଧର୍ମୀ ନୁହେଁ ସାହିତ୍ୟ ପ୍ରେମୀଙ୍କ ମୁହଁରୁ ଝରିପଡେ ଅମୃତମୟୀ ପଂକ୍ତି ସବୁ ।

ଭୀମଭୋଇଙ୍କ ସମାଧିପୀଠରେ ଆୟୋଜିତ ହେଉଥିବା ଏହି ସମାରୋହରେ କବିଙ୍କ ସାହିତ୍ୟ ଓ ଦିଗ ଦର୍ଶନ ଉପରେ ଆଲୋଚନା କରାଯାଏ । କବିଙ୍କ ରଚିତ ସ୍ତୁତି ଚିନ୍ତାମଣୀ ,ନିର୍ବେଦ ସାଧନା, ବ୍ରହ୍ମ ନିରୂପଣ ଗୀତା ଆଦି ଅନେକ କାବ୍ୟ କବିତା ପ୍ରକାଶିତ ହୋଇଛି । ହେଲେ ସଂକ୍ଷିପ୍ତ ରାମାୟଣ ଓ ମହିମା ବିନୋଦ ପରି 5ଟି ଗ୍ରନ୍ଥ ଏଯାଏଁ ଅପ୍ରକାଶିତ ହୋଇ ପଡିରହିଛି । ଏପରିକି ସମାଧୀପୀଠ ଟ୍ରଷ୍ଟ ପକ୍ଷରୁ ସଂଗୃହିତ ପାଣ୍ଡୁଲିପି ଅଧ୍ୟୟନ ପ୍ରକାଶନ ଓ ଅନୁବାଦର ଆବଶ୍ୟକତା ରହିଛି ।

ଆଜି ବି ମାନବବାଦୀ ବିଶ୍ବ ବନ୍ଦିତ କବି ସନ୍ଥ ଭୀମଭୋଇଙ୍କ ଅମର ଲେଖନୀର ଅନେକ କାଳଜୟୀ ପଂକ୍ତି ମାନବଜାତିକୁ ଉଦବୁଦ୍ଧ କରି ରଖିଛି । ଏଥିପାଇଁ ସନ୍ଥ କବିଙ୍କ ସିଦ୍ଧି ସାଧନା ଓ ସମାଧି ପୀଠର ସାରସ୍ବତ ସମାରୋହରେ ମହିମା ଭକ୍ତ, ଭୀମଭୋଇ ପ୍ରେମୀ ଓ ସାହିତ୍ୟ ରସିକଙ୍କ ସାହିତ୍ୟ ପ୍ରୀତି ତଥା ଭୀମଭୋଇଙ୍କ ଜୀବନ ଦର୍ଶନ ଚର୍ଚ୍ଚାରେ ତିଆରି ହୋଇଛି ଏକ ସାରସ୍ବତ ସାଧନାର ବାତାବରଣ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details