ସୁବର୍ଣ୍ଣପୁର: ଚଳିତବର୍ଷ କୋରୋନା କଟକଣା କାରଣରୁ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ଜିଲ୍ଲାରେ ରଥଯାତ୍ରା ପାଳନ କରାଯାଇନାହିଁ । ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ ପାତଳୀ ଶ୍ରୀକ୍ଷେତ୍ରରେ ମଧ୍ୟ ରଥଯାତ୍ରା ହୋଇନାହିଁ । ଏହି ପାବନ ପୀଠରେ ଏଥର ରଥଯାତ୍ରା ପାଳନ ହୋଇନଥିବାରୁ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଛଳିଆ ପାହାଡ଼ର ପାଦ ଦେଶରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନେକ ସ୍ବେଚ୍ଛାସେବୀ ଚାରା ତଥା ରାସାୟନିକ ସାର ଓ ଔଷଧର ମୂଲ୍ୟ ପ୍ରଦାନ କରିଛନ୍ତି । ଚାରା ଗୁଡ଼ିକ ଦାରୁରେ ପରିଣତ ହେବା ଯାଏଁ ତାର ଲାଳନ ପାଳନ ପାଇଁ ଶପଥ ନେଇଛନ୍ତି । ତେବେ ଶ୍ରୀମନ୍ଦିରକୁ ଦେବ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ବ ରକ୍ଷା କରୁଥିବାର ଦେଖିବାକୁ ମିଳୁଛି ।