ସୁବର୍ଣ୍ଣପୁର:ପ୍ରାକୃତିକ ସୌନ୍ଦଯ୍ୟରେ ଭରପୁର ସୁବର୍ଣ୍ଣପୁର । ମନ୍ଦିରଠାରୁ ଆରମ୍ଭ କରି ଅନେକ ନଦୀ, ଝରଣା ରହିଛି । ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର । ସହରକୁ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । କିନ୍ତୁ ବିଡ଼ମ୍ବନାର ବିଷୟ ସହରବାସୀଙ୍କ ଦାବି ସତ୍ତ୍ବେ ମଧ୍ୟ ପର୍ଯ୍ୟଟନ ସ୍ଥଳ ଗୁ଼ଡିକର ବିକାଶ ଉପରେ ଗୁରୁତ୍ବ ଦେଉନାହାନ୍ତି ସରକାର ।
ସୁବର୍ଣ୍ଣପୁର ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । ଅଷ୍ଟ ଚଣ୍ଡୀ, ଅଷ୍ଟ ବିଷ୍ଣୁ, ଅଷ୍ଟ ଶମ୍ଭୁଙ୍କ ସମେତ ଅଷ୍ଟୋତ୍ତର 108 ମନ୍ଦିର ରହିଛି । ସହର ପାର୍ଶ୍ବରେ ଚିରସ୍ତୋତା ମହାନଦୀ । ମହାନଦୀ ପକ୍ଷରେ ଦେବୀ ମା ଲଙ୍କେଶ୍ବରୀଙ୍କ ମନ୍ଦିର, ଖଣ୍ଡିଆ ଦେଉଳ, ଲଙ୍କେଶ୍ବରୀ ଦୋରୁହର ନୀଳ ଜଳରାଶି, ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ପର୍ବତ ପ୍ରମାଣେ ପ୍ରସ୍ତର ଖଣ୍ଡ, ଘନ ଗୁଳ୍ଣଲତା ଆଦି ଅନେକ ପ୍ରାକୃତିକ ବିଭବ ରହିଛି । ସହରର ବାବା ରାମେଶ୍ବର ପୀଠରେ ମହାନଦୀ, ତେଲନଦୀ, କର୍ପୁରନଦୀର ତ୍ରୀବେଣୀ ସଂଗମରେ ସୂର୍ଯୋଦୟ ଓ ସୂର୍ଯ୍ୟାସ୍ତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
ସଂଗମସ୍ଥଳରୁ ଆରମ୍ଭ କରି ଉପରମୁଣ୍ଡର ଅଂଗନଦୀ ମୁହାଣ ଯାଏଁ ହଜାରହଜାର ସଂଖ୍ୟାରେ ଦେଶୀ ବିଦେଶୀଙ୍କ ବିଚରଣ ଓ ପକ୍ଷୀଙ୍କ କାକଳୀର ସୁମଧୂର ସ୍ବର ମହାନଦୀ ଗର୍ଭରେ ଏକ ଅଲୌକିକ ଶୋଭା ସୃଷ୍ଟି କରିଥାଏ । ସେହିପରି ତେନ୍ତୁଳି ଘାଟରୁ ଦେବୀମା ଲଙ୍କେଶ୍ବରୀଙ୍କ ମନ୍ଦିର ପର୍ଯ୍ୟନ୍ତ ନୌବିହାର ସହିତ ଲଂକେଶ୍ବରୀ ଦୋରୁହରୁ ଚୌହାନ ରାଜପ୍ରାସାଦ ସହିତ ସହରର ଦୃଶ୍ୟ ବେଶ ଉପଭୋଗ୍ୟ । ହେଲେ କୃଷି, ହସ୍ତତନ୍ତ ଓ ପର୍ଯ୍ୟଟନ ଉପରେ ଜିଲ୍ଲାର ଆର୍ଥିକ ବିକାଶ ନିର୍ଭର କରୁଥିବା ବେଳେ ଏହି ପର୍ଯ୍ୟଟନ ପୀଠ ଗୁଡିକର ସୌନ୍ଦର୍ଯ୍ୟକରଣ କରାଯାଇ ପାରୁନାହିଁ । ସେହିପରି ପ୍ରତିଦିନ ହଜାରହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏହି ସହରକୁ ଆସୁଥିବା ବେଳେ ଆଗନ୍ତୁକମାନଙ୍କ ପାଇଁ ରହିବା, ଖାଇବା ଓ ବୁଲିବା ପାଇଁ ସାଧାରଣ ମୌଳିକ ସୁବିଧା ସୃଷ୍ଟି କରାଯାଇ ପାରୁନାହିଁ । ପର୍ଯ୍ୟଟନ ପୀଠଗୁଡିକର ବିକାଶ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଏହି ସହରକୁ ଆସିବା ସହିତ ଏହି ସହରରେ ରୋଜଗାର ସୃଷ୍ଟି ହେବା ସହ ଆର୍ଥିକ ଅବସ୍ଥାର ବିକାଶ ହୋଇ ପାରିବ ବୋଲି କହିଛନ୍ତି ସଂସ୍କୃତି ଗବେଷକ ।