ସୁବର୍ଣ୍ଣପୁର: ନୂଆଁଖାଇକୁ ତିନି ଦିନିଆ ଛୁଟି ଘୋଷଣା ଦାବି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂଆଁଖାଇ ଛୁଟି ନେଇ ବିବାଦ ଚାଲିଥିବାବେଳେ ସୁବର୍ଣ୍ଣପୁରରେ ମଧ୍ୟ ସ୍ବେଚ୍ଛାସେବୀମାନଙ୍କ ପକ୍ଷରୁ ଦାବି ହୋଇଛି । ଆଜି ବରିଷ୍ଠ ଆଇନଜିବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ଏହି ଦାବୀ ଉପସ୍ଥାପନା କରିଛନ୍ତି । ଜିଲ୍ଲାପାଳଙ୍କ ସହିତ ଛୁଟି ସଂପର୍କରେ ଆଲୋଚନା କରିବା ସହିତ ଛୁଟି ଦେବାକୁ ଦୃଢ ଦାବି କରିଛନ୍ତି । ପୂର୍ବରୁ ବି ଅନେକ ସଂଗଠନ ନୂଆଁଖାଇ ପାଳନ ପାଇଁ ତିନି ଦିନ ଛୁଟି ଦାବି କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ । ଆଜି ପୁଣି ସମାନ ଦାବିରେ ପରିବର୍ତ୍ତନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଏହା ବି ପଢନ୍ତୁ- ନୂଆଁଖାଇ ପାଇଁ ତିନି ଦିନିଆ ଛୁଟି ଘୋଷଣା ନେଇ ଦାବି
ସୋନପୁରର ବରିଷ୍ଠ ଆଇନଜିବୀ ବଳଦେବ ବେଦବାଗ କହିଛନ୍ତି, "ଗଣପର୍ବ ନୂଆଁଖାଇକୁ ପଶ୍ଚିମ ଓଡ଼ିଶାବାସୀ ଦୁଇ ଦିନ ଧରି ପାଳନ କରିଥାନ୍ତି । ଏଥିପାଇଁ ରାଜ୍ୟ ସରକାର ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ନବାର୍ଣ୍ଣ ପାଳନ ନିମନ୍ତେ ଅନ୍ୟୁନ୍ୟ ଦୁଇ ଦିନ ପ୍ରସ୍ତୁତି ପାଇଁ ସମୟ ଆବଶ୍ୟକ । ଏହି ତିଥିରେ ଖିଆ ପିଆ, ଖେଳକୁଦ, ମଉଜ ମଜଲିସ ସହିତ ନୂଆଁଖାଇ ଭେଟ ଘାଟ ହୋଇଥାଏ । ଏହା ପଶ୍ଚିମ ଓଡ଼ିଶାର ଭାବାବେଗ ସହ ଜଡ଼ିତ । ତେବେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ସମେତ ସୁବର୍ଣ୍ଣପୁର ଜିଲ୍ଲାରେ ବି ଏବେକାର ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟ କରି ନୂଆଁଖାଇ ସଂପର୍କରେ ଭଲଭାବେ ଜାଣିଛନ୍ତି । ଏପରିକି କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ବିଜେପି ସାଂସଦ ସୁରେଶ ପୂଜାରୀ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରମୂଖ ରାଜ୍ୟ ସରକାରଙ୍କ ପାଖରେ ଏନେଇ ଦାବୀ ମଧ୍ୟ କରିଛନ୍ତି । ଏହା ସତ୍ତ୍ବେ ରାଜ୍ୟ ସରକାର କିଭଳି ଜାଣି ପାରୁ ନାହାନ୍ତି । ଏଣୁ ସରକାର ନୂଆଁଖାଇ ଛୁଟି ବୃଦ୍ଧି କରିବା ଦିଗରେ ପୁନଃବିଚାର କରନ୍ତୁ । ପଶ୍ଚିମ ଓଡିଶାବାସୀଙ୍କ ଏହି ଦାବି ପ୍ରତି ଧ୍ୟାନ ନ ଦେଲେ ବିଛିନ୍ନତାବାଦି ଚିନ୍ତା ଜନସାଧାରଣଙ୍କ ମନରେ ଉଦ୍ରେକ ହେବ ।"