ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘୋର ଅବ୍ୟବସ୍ଥା । ନୂତନ ଭାବେ ନିର୍ମିତ ଜିଲ୍ଲା ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ଓ ସମ୍ପର୍କୀୟଙ୍କୁ କାମୁଡିଲେ ମହୁମାଛି । ସ୍ବାସ୍ଥ୍ୟକେନ୍ଦ୍ରର ତୃତୀୟ ମହଲାରେ ଥିବା ମହୁଫେଣାକୁ ଆଜି କେହି ଜଣେ ଭାଙ୍ଗିବାକୁ ଚେଷ୍ଟା କରିବାରୁ ରୋଗୀ ଓ ଅନ୍ୟ ଲୋକମାନେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ଏହି ଭୟରେ ପ୍ରସୂତି ମହିଳା, ନବଜାତ ଓ ଶିଶୁମାନଙ୍କୁ କବାଟ ବନ୍ଦ କରି ରଖିବାକୁ ପଡିଛି । ସେହିପରି ମେଡିକାଲରେ ପାଣି ଆସୁନଥିବା ବେଳେ ଅସହ୍ୟ ଗରମରେ ପଙ୍ଖା ବୁଲୁନଥିବା ମଧ୍ୟ ଅଭିଯୋଗ ହୋଇଛି । ଯେଉଁଥିପାଇଁ ରୋଗୀଙ୍କ ସାଙ୍ଗରେ ଆସୁଥିବା ସମ୍ପର୍କୀୟମାନେ ନିଜ ନିଜ ଘରୁ ପଙ୍ଖା ନେଇ ଆସୁଛନ୍ତି ।
ସୂଚନା ମୁତାବକ, ନୂତନ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବା ପୂର୍ବରୁ ମହୁଫେଣାଟି ତିଆରି ହୋଇଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଏହାପ୍ରତି ଧ୍ୟାନ ଦେଇ ନଷ୍ଟ କରିବାକୁ କୌଣସି ପଦେକ୍ଷପ ନେଇନଥିଲେ । ଫଳରେ ଦିନକୁ ଦିନ ମହୁମାଛି ଅଧିକରୁ ଅଧିକ ଜନ୍ମ ନେଇଥିଲେ । ଆଜି ପାହାନ୍ତିଆରେ ମହୁଫେଣା ଭାଙ୍ଗିବାକୁ ପ୍ରଚେଷ୍ଟା କରାଯିବା ବେଳେ ମହୁମାଛିମାନେ ମେଡିକାଲରେ ଥିବା ଲୋକମାନଙ୍କୁ ଆକ୍ରମଣ କରିଥିଲେ । ସେହିପରି ଆଜି ସକାଳ ପ୍ରାୟ ୩ଟା ବେଳୁ ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ସମସ୍ୟା ଦେଖାଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।
ପାଣି ଆସୁନଥିବାରୁ ରୋଗୀଙ୍କ ସେବା ଯତ୍ନ କରିବାକୁ ଆସିଥିବା ସମ୍ପର୍କୀୟମାନେ ଆଜି ମହାନଦୀର ବିଭିନ୍ନ ଘାଟରେ ନିଜର ସ୍ନାନ ଶୌଚ କରିଛନ୍ତି । ଏପଟେ ରୋଗୀମାନେ ଆଜି ପ୍ରାୟ ୧୧ଟା ପର୍ଯ୍ୟନ୍ତ ନିଜ ନିଜର ନିତ୍ୟକର୍ମ କରିନାହାନ୍ତି । ବାହାର ବଜାରରୁ ପାଣି କିଣିବାକୁ ପଡୁଛି । ସୋନପୁର ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିଜ ଜିଲ୍ଲା ଓ ନିଜ ନିର୍ବାଚନ ମଣ୍ଡଳୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଅବ୍ୟବସ୍ଥା ପାଇଁ ଜନସାଧାରଣ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।