ସୁବର୍ଣ୍ଣପୁର: ତନ୍ତ୍ର ପୀଠ ସୋନପୁର ଗଡଜାତ ସହରରେ ଆରମ୍ଭ ହୋଇଛି ଦେବୀ ମା’ ଦୁର୍ଗାଙ୍କ ଆରାଧନା । ଶାରଦୀୟ ଦୁର୍ଗାପୂଜା ପାଇଁ ଏହି ଐତିହାସିକ ସହର ଉତ୍ସବ ମୁଖର ହୋଇ ଉଠିଛି । ସହରର ଥନାପତି ପଡାଠାରେ ନବରାତ୍ରୀ ପୂଜା ଆରାଧନା ଚାଲିଛି । ଆଶ୍ବୀନ ମହାଳୟା ତିଥିରେ ଅଧିବାସ ପର୍ବ ଆୟୋଜିତ ହୋଇଥିବା ବେଳେ ପଞ୍ଚ ଦିନାତ୍ମକ ଦୁର୍ଗାପୂଜା ପାଇଁ ଆଶ୍ବିନ ଶୁକ୍ଳ ଷଷ୍ଠୀ (ଶୁକ୍ରବାର) ରାତ୍ରିରେ ଅଧିବାସ ପର୍ବ ଆୟୋଜିତ ହୋଇଛି । ଆଶ୍ବିନ ଶୁକ୍ଲ ସପ୍ତମୀ ତିଥି (ଶନିବାର) ଦିନରୁ ଦେବୀ ମାଙ୍କ ପୂଜା ଆରାଧନା ସହିତ ଆବାହନ, ଚଣ୍ଡୀପାଠ ଓ ଚଣ୍ଡୀ ଯଜ୍ଞାଦି କାର୍ଯ୍ୟ ଚାଲିବ ।ତେବେ ସାର୍ବଜନୀନ ଦୁର୍ଗା ପୂଜା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାରିଗରମାନେ ଆକର୍ଷଣୀୟ ପୂଜା ମଣ୍ଡପ, ତୋରଣ, ସାଜସଜ୍ଜା ଆଜି କାର୍ଯ୍ୟ ଅଧିବାସ ପୂର୍ବରୁ ଶେଷ କରିଛନ୍ତି ।
ସେହିପରି ମୂର୍ତ୍ତି ଶିଳ୍ପକାର ଦେବୀ ମା‘ଙ୍କ ମୃଣ୍ମୟୀ ପ୍ରତୀମାର ଚକ୍ଷୁରେ ଶେଷ ସ୍ପର୍ଶ ଦେଇ ସାରିଛି । ଶୁକ୍ରବାର ରାତିରେ ଅଧିବାସ ପର୍ବ ସମାପନ ହେବା ପରେ ପ୍ରାତଃରୁ ପଞ୍ଚଦିନାତ୍ମକ ପୂଜା ଆରାଧନା ପାଇଁ ଦେବୀଙ୍କୁ ଧରାବତରଣ କରିବା ପାଇଁ ଆବାହନ କାର୍ଯ୍ୟ କରାଯିବ । ଦେବୀଙ୍କ ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ଗୁଡିକ ପକ୍ଷରୁ ସ୍ବେଚ୍ଛାସେବୀମାନଙ୍କୁ ବିଭାଗ ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପୂଜା ଆରାଧନା ପାଇଁ ମଣ୍ଡପରେ ପ୍ରସ୍ତୁତି, ନୈବେଦ୍ୟ ତଥା ପ୍ରସାଦ ପ୍ରସ୍ତୁତି ଆଦି କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ଓ ପୂଜାର ଆକର୍ଷଣ ବଢାଇବା ପାଇଁ ପୂଜା ମଣ୍ଡପ ନିକଟସ୍ଥ ଖୋଲା ଯାଗାରେ ମୀନା ବଜାର, ସାଂସ୍କୃତିକ ମଣ୍ଡପ, ରାବଣ ଦରବାର ଆଦିର ଆୟୋଜନ କରାଯାଉଛି ।