ସୁବର୍ଣ୍ଣପୁର:ଜାରି ରହିଛି ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ । ବିଭିନ୍ନ ଦାବିକୁ ନେଇ ଗତ ତିନିଦିନ ଧରି ଜିଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ଶିକ୍ଷକ ସଂଘ । ତେବେ ନୂତନ ପେନସନ ବ୍ୟବସ୍ଥାରେ ଶିକ୍ଷକମାନେ ଅଢେଇରୁ ତିନି ଦଶନ୍ଧି କାର୍ଯ୍ୟ କରି ଅବସର ପରେ ପ୍ରାୟ 1200 ଟଙ୍କା ପେନସନ ପାଉଛନ୍ତି । ଏହି ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଜାରି ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ତେବେ ବିଧାୟକ ଓ ସାଂସଦମାନେ ନିର୍ବାଚିତ ହୋଇ ଶପଥ ଗ୍ରହଣ କଲେ ପେନସନ ପାଉଛନ୍ତି ହେଲେ ମଣିଷ ତିଆରି କାରଖାନାରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ପେନସନ ପାଇଁ ସରକାର ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଆଗାମୀ 20 ତାରିଖରେ ଅଲ ଇଣ୍ଡିଆ ଟିଚରସ୍ ଫେଡେରେସନ ପକ୍ଷରୁ ଆସୁଥିବା ସଚେତନତା ରଥ ଆଗାମୀ ନୂଆଖାଇ ଦିନ ସଂଧ୍ୟାରେ ସୁବର୍ଣ୍ଣପୁରରେ ପହଞ୍ଚିବ । ଏହି ରଥ ମାଧ୍ୟମରେ ଉଭୟ ବୌଦ୍ଧ ଓ ସୁବର୍ଣ୍ଣପୁରର ସମସ୍ତ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହିତ 21 ତାରିଖରେ ଉଭୟ ଜିଲ୍ଲାର ହଜାର ହଜାର ଶିକ୍ଷକଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ କରାଯିବ । ଏହି ସଭାରେ ଆଗାମୀ ରଣନୀତି ସଂପର୍କରେ ସୂଚନା ଦେଇ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇଛି ।