ସୁବର୍ଣ୍ଣପୁର:ଗଣପର୍ବ ନୂଆଁଖାଇ ପାଇଁ ସୋନପୁର ଗଡଜାତ ଉତ୍ସବମୁଖର ହୋଇ ଉଠିଛି । ଲଗାତର ଦୁଇ ବର୍ଷ କୋରୋନା ପାଇଁ ଏହି ଗଣପର୍ବ ମଳିନ ପଡିଥିବା ବେଳେ ଏଥର ବେଶ ଉତ୍ସାହ ଉଦ୍ଦୀପନାର ସହିତ ନୂଆଁଖାଇ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲଗ୍ନ ନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ପାହୁର ଯାତ୍ରା କମିଟି ପକ୍ଷରୁ ପାହୁର ଶୋଭାଯାତ୍ରାରେ ସାମିଲ ହୋଇ ଦେବୀ କୃପା ଲାଭ କରିବାକୁ ଗଡଜାତବାସୀଙ୍କୁ ଅନୁରୋଧ କରାଯାଇଛି ।
ଆଗାମୀ ଭାଦ୍ରବ ଶୁକ୍ଲ ଋଷି ପଞ୍ଚମୀ ଦିନ ଅର୍ଥାତ 1 ସେପ୍ଟେମ୍ବର ଦିନ ସ୍ବାତୀ ନକ୍ଷତ୍ର ,ତୁଳା ରାଶି ମାହେନ୍ଦ୍ର ବେଳା ସକାଳ 10 ଘଣ୍ଟା 7 ମିନିଟରୁ 10 ଘଣ୍ଟା 21 ମିନିଟ ମଧ୍ୟେ ମୀନ ନବାଂଶେ ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ପାଖରେ ନବାର୍ଣ୍ଣ ସମର୍ପଣ କରିବା ପାଇଁ ଲଗ୍ନ ସ୍ଥିର କରାଯାଇଛି । ସେହିପରି ସକାଳ 8 ଘଣ୍ଟା 20 ମିନିଟରୁ 9 ଘଣ୍ଟା 20 ମିନିଟ ମଧ୍ୟରେ ଦେବୀ ମାଆ ସମଲେଇଙ୍କ ପୀଠରୁ ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ସମେତ ଅଷ୍ଟ ଚଣ୍ଡୀ ଓ ହନୁମାନ ପୀଠକୁ ପାହୁର ଯିବା ପାଇଁ ପଣ୍ଡିତ ମହାସଭା ଲଗ୍ନ ନିର୍ଧାରଣ କରିଛନ୍ତି । ଏହି ଲଗ୍ନରେ ପାହୁର ଶୋଭାଯାତ୍ରାରେ ଦେବୀ ମାଆ ସମଲେଇ ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏଥର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବେଶ ଧୂମଧାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଏଥର ଜିଲ୍ଲା ପ୍ରଶାସନ ପକ୍ଷରୁ ବି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସଂସ୍କୃତି ପରିଷଦ ନିଜକୁ ପ୍ରସ୍ତୁତ କରୁଛି ।