ସୁବର୍ଣ୍ଣପୁର: ରଥଯାତ୍ରାରେ ରହିଛି ଅନେକ ଚିତ୍ର-ଚରିତ୍ର । ଯାତ୍ରାର ଆରମ୍ଭରୁ ଶେଷଯାଏ କେତେ କଥା, କେତେ କାହାଣୀ । ସମଗ୍ର ଜଗନ୍ନାଥ ସଂସ୍କୃତିର “ନୀଳାଦ୍ରି ବିଜେ” ବା ରତ୍ନ ସିଂହାସନକୁ ଫେରିବା ସମୟର ପାରମ୍ପରିକ ଲକ୍ଷ୍ମୀ-ନାରାୟଣ କଳିଗୀତର ମାଧୁର୍ଯ୍ୟ ନିଆରା ଆକର୍ଷଣ ରଖେ ଶ୍ରଦ୍ଧାଳୁଙ୍କ ପାଖରେ । ଆଉ ବୀରମହାରାଜପୁରର ଲୁତୁରପଙ୍କଠାରେ ଦଧିବାମନଙ୍କ ନୀଳାଦ୍ରି ବିଜେକୁ ଚାହିଁ ରହିଥାନ୍ତି ଲୋକେ । ମା’ ଲକ୍ଷ୍ମୀଙ୍କ ପକ୍ଷରୁ ମହିଳାମାନେ ପ୍ରତିନିଧିତ୍ବ କରି ଗୀତରେ ଗାଳିବର୍ଷା କରୁଥିବାବେଳେ ଜଗନ୍ନାଥଙ୍କ ତରଫରୁ ଉତ୍ତର ଦିଅନ୍ତି ପୁରୁଷମାନେ । ଏଇଠି ଦେଖିବାକୁ ମିଳେ ପରମ୍ପରାର ମହକ ଆଉ ଦୃଶ୍ୟରେ ଦୃଶ୍ୟରେ ଶ୍ରଦ୍ଧାଳୁଙ୍କୁ ମିଳେ ଭିନ୍ନ ସ୍ବାଦର ଉତ୍ସାହ ।
ଆଷାଢ଼ ଦିଅଁ ଜଗନ୍ନାଥ । ସବୁ ବିଚିତ୍ରତା ଭିତରେ ଘୋଷଯାତ୍ରାର ପ୍ରତିଟି ମୁହୂର୍ତ୍ତ ବେଶ ଆଶ୍ଚର୍ଯ୍ୟ ଲାଗେ । ସେ ପହଣ୍ଡି ହେଉ କି ଷାଠିଏ ପଉଟି ମଣୋହି ଓ ସୁଆଦିଆ ପୋଡ଼ପିଠା । ଆଉ ଏସବୁ ଭିତରେ ନୀଳାଦ୍ରି ବିଜେ ପରି ପରମ୍ପରା । ଯେଉଁଠି ସ୍ବୟଂ ଶ୍ରୀଜଗନ୍ନାଥ ସାମ୍ନା କରନ୍ତି ମା’ ଲକ୍ଷ୍ମୀଙ୍କର ରୁଷାଫୁଲା, ଅଭିମାନକୁ । ନଅଦିନର ଯାତ୍ରା ସାରି ଆସିଲାବେଳକୁ ଗମ୍ଭାରୀରେ କବାଟ କିଳା ହୋଇଛି । ରୁଷିଛନ୍ତି ନିଜେ ଦେବୀ ମା ଲକ୍ଷ୍ଣୀ ଠାକୁରାଣୀ। ଆଉ ନିରୁପାୟ ଜଗନ୍ନାଥ ବୁଝାଉ ଥାଆନ୍ତି ଗୀତରେ । ଆଉ ଏଇ ସାମାଜିକ ପ୍ରାଚୀନ ପରମ୍ପରାକୁ ଲୁତୁରପଙ୍କ ଗାଁଲୋକେ ଶହ ଶହ ବର୍ଷ ଧରି ଅକ୍ଷତ ରଖିଛନ୍ତି । ନାରୀମାନେ ଲକ୍ଷ୍ମୀଙ୍କ ପ୍ରତୀକରେ ଗୀତ ଗାଉଥିବାବେଳେ ପୁରୁଷମାନେ ଶ୍ରୀ ଜଗନ୍ନାଥଙ୍କ ପ୍ରତିନିଧିତ୍ବ କରୁଛନ୍ତି ।