ଓଡିଶା

odisha

ETV Bharat / state

ନୀଳାଚଳେ ଜଗନ୍ନାଥ: ଲୀଳାମୟ ଠାକୁରଙ୍କ ରହସ୍ୟମୟ ଅଜ୍ଞାତବାସ, ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର - ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବୀରମହାରାଜପୁର କୋଟସମଲାଇସ୍ଥିତ ତ୍ରିକୁଟ କନ୍ଦରରେ ଏହି ଗୁମ୍ଫା। ଏହି କ୍ଷେତ୍ରରେ ମହାପ୍ରଭୁଙ୍କୁ ଦୀର୍ଘ ୧୪୪ବର୍ଷ ଧରି ପାତାଳି କରାଯାଇଥିଲା । ଏଠାରେ ଅଜ୍ଞାତବାସରେ ଗୁପ୍ତଲୀଳା ଖେଳା କରିଥିଲେ ଜଗତର ଠାକୁର । କୁହାଯାଏ ଯେ, ସ୍ବୟଂ ଜଗନ୍ନାଥ ଏହି ପାହାଡ଼ରେ ଛଳନା ବା ଲୀଳା କରି ରହିଥିବାରୁ ଏହି ପାହାଡ଼କୁ ଛଳିଆ ପାହାଡ଼ ମଧ୍ୟ କୁହାଯାଏ ।

ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର
ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର

By

Published : Jun 20, 2020, 6:23 AM IST

ସୁବର୍ଣ୍ଣପୁର: ଐତିହାସିକ ପାତାଳୀ ଶ୍ରୀକ୍ଷେତ୍ର । ଜଗତର ନାଥ ଭାଇ ଭଉଣୀଙ୍କ ସହିତ ଏହି ପାବନ ପୀଠରେ 144 ବର୍ଷ ଧରି ନିଜ ଗୁପ୍ତଲୀଳା କରିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠକୁ ରାଜ୍ୟ ସରକାର ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ କୃପା ଲାଭ କରିବା ସହିତ ସୌନ୍ଦର୍ଯ୍ୟମୟୀ ପ୍ରକୃତିରାଣୀ କୋଳରେ କିଛି ସମୟ ନିଜକୁ ହଜେଇ ଦେବାକୁ ବର୍ଷସାରା ଏହି ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ହେଲେ ବିଶେଷକରି ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ ଓ ରଥଯାତ୍ରା ସମୟରେ ହଜ଼ାର ହଜ଼ାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ ।

ନୀଳାଚଳେ ଜଗନ୍ନାଥ: ଲୀଳାମୟ ଠାକୁରଙ୍କ ରହସ୍ୟମୟ ଅଜ୍ଞାତବାସ, ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର


ଅତୀତରେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରୁ ବାହାରି ଅନେକ ଅଗମ୍ୟ ଯାଗାରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। କେତେବେଳେ ନୀଳ ଜଳରାଶି ଘେରା ଚିଲିକା କୁଦରେ ତ କେତେବେଳେ ଘୋର ଜଙ୍ଗଲ ଭିତରେ। ସେହିପରି ଶ୍ରୀଜଗନ୍ନାଥ ଦେବୀ ସୁଭଦ୍ରା ଓ ଭାଇ ଶ୍ରୀବଳଭଦ୍ରଙ୍କ ସହିତ ବିଭିନ୍ନ ସମୟରେ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇର ତ୍ରିକୁଟ କନ୍ଦରରେ ଗୁପ୍ତଲୀଳା କରିଥିବାର ଐତିହାସିକ ସତ୍ୟତା ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରତ୍ନତାତ୍ତ୍ୱିକ ବିଭବରେ ଭରପୂର ଏହି ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି ବର୍ଷସାରା ।


ଏଇ ପାବନ ପୀଠରେ ଶ୍ରୀଜଗନ୍ନାଥ 144 ବର୍ଷଧରି ନିଜ ଗୁପ୍ତଲୀଳା କରିଥିବାର ଶ୍ରୀମନ୍ଦିର ମାଦଳା ପାଞ୍ଜିରେ ବର୍ଣ୍ଣିତ ହୋଇଛି। ଶୋଭନ ଦେବଙ୍କ ଦ୍ଵିତୀୟ ଅଙ୍କରେ ଯଯାତି କେଶରୀଙ୍କ ରାଜତ୍ୱ କାଳରେ ଦାରୁବିଗ୍ରହଙ୍କୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରିଥିବାର ଜଣାଯାଏ। ଯାହାର ପ୍ରମାଣ ସ୍ୱରୂପ ପାତାଳୀ ଶ୍ରୀକ୍ଷେତ୍ରର ମାଧବ ଗୁମ୍ଫାରେ ଏବେବି ଶ୍ରୀଜଗନ୍ନାଥଙ୍କ ଚିତ୍ର ଉତ୍ତକୀର୍ଣ୍ଣ ହୋଇଥିବା ଦେଖିବାକୁ ମିଳେ।


ଏହି ପୀଠରେ ଅନେକ ଐତିହାସିକ ପ୍ରମାଣ ଥିବା ବିଭିନ୍ନ ସଂଗଠନ ସ୍ୱୀକୃତି ଦେଇଛନ୍ତି। 2007 ଫେବୃଆରୀ ମାସରେ ଶ୍ରୀମନ୍ଦିର ପ୍ରଶାସନର 12 ଜଣିଆ ପ୍ରତିନିଧି ଦଳ ପାତାଳୀ ଶ୍ରୀକ୍ଷେତ୍ର ଭ୍ରମଣ କରି ଶ୍ରୀଜଗନ୍ନାଥ ସଂସ୍କୃତିର ବିଭବ ଥିବା କହିଛନ୍ତି। ସେହିପରି ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏହାକୁ ପ୍ରମାଣ କରିଛି। 2012ରେ ପୁରୀ ଶ୍ରୀମନ୍ଦିର ପ୍ରଦତ୍ତ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କୁ ଛଳିଆ ପାହାଡରେ ପ୍ରତିଷ୍ଠା କରାଯାଇଛି। ପୁରୀ ଗଜପତି ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଢାଞ୍ଚାରେ ଛଳିଆ ପାହାଡରେ ଶ୍ରୀମନ୍ଦିର ତିଆରି ପାଇଁ ଭୂମିପୂଜନ କରିଛନ୍ତି। ତେବେ ଏଇ ପୀଠଟି 80 ଦଶକରୁ ଜଗନ୍ନାଥ ସଂସ୍କୃତିର ଅନ୍ୟତମ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି।



ଶ୍ରୀମନ୍ଦିର ପ୍ରଶାସନ ଏଇ ପୀଠକୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ଲୀଳାକ୍ଷେତ୍ର ଭାବେ ସ୍ୱୀକୃତି ଦେବା ପରେ ସଂସ୍କୃତିର ଏଇ ବାସ୍ନା ସମଗ୍ର ବିଶ୍ୱକୁ ଚହଟି ଯାଇଛି।ତେବେ ଯାହାବି ହେଉ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏଭଳି ଏକ ଆଧ୍ୟାତ୍ମିକ ପୀଠକୁ ବୁଲି ଦେଖିଲେ ବିଷାଦଗ୍ରସ୍ତ ମନ ପୁଲକିତ ହୋଇଯାଏ ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details