ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ କନ୍ୟା ଅପହରଣ ମାମଲାରେ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନବଜାତ ଶିଶୁ କନ୍ୟାର ବାପା ବୀରମହାରାଜପୁର ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ଓ ତାଙ୍କ ଶାଶୁ ଏହି ଘଟଣାରେ ସଂପୃକ୍ତ ଥିବା ପୋଲିସ ଅନୁସନ୍ଧାନରୁ ଜଣାପଡିଛି ।
ତେବେ ଏକ ନାଟକୀୟ ଘଟଣାରେ ଶିଶୁ କନ୍ୟା ଚୋରି ବା ଅପହରଣ ଭଳି ଏକ ଘଟଣା ଭିଆଇଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଶିଶୁ କନ୍ୟାକୁ ଚୋରି କି ଅପହରଣ ନୁହେଁ ବରଂ ବିକ୍ରୀ ପରି ଏକ ମାମଲା ପୋଲିସର ନଜରକୁ ଆସିଥିବା ଗତକାଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ କହିଥିଲେ । ଫଲରେ ପୋଲିସ ସେହି ଦିଗରେ ତଦନ୍ତ ଆଗକୁ ବଢାଇଥିଲା । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଗତକାଲି ଅର୍ଜୁନପୁର ଜଙ୍ଗଲରୁ ରାସ୍ତାକଡର ଏକ ବୁଦା ମୂଳରୁ ଶିଶୁ କନ୍ୟାକୁ ପୋଲିସ ଉଦ୍ଧାର କରିବା ପରେ ଅସଲ କଥାଟି ପଦାକୁ ଆସଥିଲା ।