ଓଡିଶା

odisha

ETV Bharat / state

ଷ୍ଟାଡିୟମ ନିର୍ମାଣକାର୍ଯ୍ୟରେ ଅବହେଳା, ଖେଳ ପଡିଆରେ 3ଫୁଟ ପାଣି

25 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ଚାଲିଥିବା ସୁବର୍ଣ୍ଣପୁର ଜିଲ୍ଲା ମିନି ଷ୍ଟାଡିୟମ ଏବେ ପୋଖରୀରେ ପରିଣତ ହୋଇଛି । ଗ୍ୟାଲେରୀ ଓ ପଡିଆକୁ ସମତଳ କରିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇ ନଥିବାରୁ ଖେଳ ପଡିଆରେ ଏବେ ତିନି ଫୁଟ ପାଣି ।

By

Published : Aug 23, 2019, 5:23 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଷ୍ଟାଡିୟମ ତିଆରି ହେବା ନେଇ ଖୁବ ଉତ୍ସାହିତ ଥିଲେ ଜିଲ୍ଲାବାସୀ । 25 ଲକ୍ଷ ଟଙ୍କା ବ୍ୟୟରେ ତିଆରି ଚାଲିଥିବା ସୁବର୍ଣ୍ଣପୁର ଜିଲ୍ଲା ମିନି ଷ୍ଟାଡିୟମ କିନ୍ତୁ ଏପର୍ଯ୍ୟନ୍ତ ଖେଳାଳିଙ୍କ ଉପଯୋଗୀ କରାଯାଇ ପାରିନାହିଁ । ଠିକାଦାର ପୋଷିବା ନୀତିରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲିଥିବା ନେଇ ବିନିକା ସହରର କ୍ରୀଡାବିତ ଓ କ୍ରୀଡାପ୍ରେମୀ ଅଭିଯୋଗ କରିଛନ୍ତି । ଷ୍ଟାଡିୟମ କାମ ଚାଲିଛି, ପଡିଆ ବି ସମତଳ କରାଯାଇଛି କିନ୍ତୁ ପଡିଆରୁ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଏବେ ପଡିଆଟି ପୋଖରୀରେ ପରିଣତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ଅଧୀନରେ ମହାନଦୀ ପୋଲ ନିକଟରେ ତିଆରି ଚାଲିଛି ମିନିଷ୍ଟାଡିୟମ । ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ କ୍ରୀଡାବିତ ଓ କ୍ରୀଡା ପ୍ରେମୀଙ୍କ ଭିତରେ ଆନନ୍ଦ ଖେଳିଯାଇଥିଲା । କିନ୍ତୁ ବର୍ତ୍ତମାନ ଷ୍ଟାଡିୟମର ଅବସ୍ଥା ଖେଳାଳିଙ୍କୁ ହତୋତ୍ସାହିତ କରିଛି । ପଡିଆରୁ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଷ୍ଟାଡିୟମ ପଡିଆରେ ପ୍ରାୟ 3 ଫୁଟ ପାଣି ଜମି ରହିଛି ।

ଗତ 2017-18 ଆର୍ଥିକ ବର୍ଷରେ ଗ୍ୟାଲେରୀ ତିଆରି ବାବଦକୁ 20 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପଡିଆ ସମତଳ କରିବାକୁ ପ୍ରାୟ 5 ଲକ୍ଷ ଟଙ୍କାର ମାଟି କାମ କରାଯାଇଛି । ହେଲେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ସେପଟେ ସହରରେ ଅନ୍ୟ କୌଣସି ଖେଳ ପଡିଆ ନ ଥିବା ବେଳେ ଛାତ୍ରଛାତ୍ରୀ ତଥା ଖେଳାଳୀମାନଙ୍କ ପାଇଁ ତିଆରି ହେଉଥିବା ଏହି ଷ୍ଟାଡିୟମ ସାମାନ୍ୟ ଦୂରଦୃଷ୍ଟି ଅଭାବରୁ ଅବ୍ୟବସ୍ଥିତ ହୋଇ ରହିଛି ।

ତେବେ ପ୍ରଶାସନ ଏହାଉପରେ ଦୃଷ୍ଟି ଦେଉଛି ଓ ସଠିକ ଭାବେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ହେଉଛି ତାହା ଦେଖିବାକୁ ବାକି ରହିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details