ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ । ଭଙ୍ଗା ଚାଲିଛି ବେଆଇନ ଘର ଓ ଦୋକାନ । ସଦର ପୌର ପରିଷଦ ଓ ରାଜସ୍ବ ବିଭାଗ ପକ୍ଷରୁ ସହରରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ପ୍ରଶାସନ ସରକାରୀ ମୂଲ୍ୟବାନ ଜମିକୁ ଜବରଦଖଲ କରିଥିବା ଲୋକଙ୍କୁ ଉଚ୍ଛେଦ କରିବା ଆରମ୍ଭ କରିଛି ।
ସୂଚନା ମୁତାବକ, ସହରର ମଧ୍ୟ ଭାଗରେ ନଳିନୀ ଛକ ନିକଟରେ ଥିବା ବେଆଇନ ଦୋକାନ ଓ ଘରକୁ ଭାଙ୍ଗି ଦିଆଯାଇଛି । ସେହିପରି ଜଣେ ଜବରଦଖଲକାରୀ ଜିଲ୍ଲା ପ୍ରଶାସନକୁ ଉଚ୍ଛେଦ ପାଇଁ କିଛି ସମୟ ମାଗି ଥିବାରୁ ଜିଲ୍ଲା ପ୍ରଶାସନ ତାଙ୍କୁ ଦୁଇ ଦିନର ସମୟ ଦେଇ ସରକାରୀ ଜାଗା ଛାଡି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଜଣେ ଜବରଦଖଲକାରୀ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ସ୍ଥଗିତାଦେଶ ଆଣି ଥିବାରୁ ଜବରଦଖଲ କରି ରଖିଥିବା ସରକାରୀ ଯାଗାକୁ ଆଜି ଖାଲି କରାଯାଇ ପାରି ନ ଥିବା ସଦର ତହସିଲଦାର ସୂଚନା ଦେଇଛନ୍ତି ।
ତେବେ ସହରର ମଧ୍ୟ ଭାଗରେ ଦୀର୍ଘ ଦିନରୁ ଲୋକେ ଜବରଦଖଲ କରି ଦୋକାନ ବଜାର ଓ ଘର ଆଦି ତିଆରି କରି ସରକାରୀ ଜାଗା ମାଡି ବସିଥିଲେ । ତାହା ଖାଲି କରିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଆଜି ଖାଲି କରାଯାଇଥିବା ସହକାରୀ ଜାଗା ନିୟନ୍ତ୍ରିତ ବଜାର କମିଟିର ମାର୍କେଟ ପାଇଁ ଜାଗା ହସ୍ତାନ୍ତର କରାଯାଇ ଥିବା ବେଳେ ଏବେ ବି କିଛି ଜବରଦଖଲକାରୀ ସରକାରୀ ଜାଗା ଛାଡି ନାହାନ୍ତି । ତେବେ ସଦର ପୌର ପରିଷଦ ପକ୍ଷରୁ ସହରର ସୌନ୍ଦର୍ଯ୍ୟ କରଣ ଓ ବଜାର ଗୃହ ନିର୍ମାଣ ସହିତ ଅନ୍ୟ ସରକାରୀ ବିଭାଗ ଆବଶ୍ୟକ କରୁଥିବା ଜମିକୁ ଜବରଦଖଲକାରୀଙ୍କ କବଜାରୁ ରାଜସ୍ବ ବିଭାଗ ନିଜ ଅଧିନକୁ ଆଣୁଛି ।