ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ଧାନ ବିକ୍ରିରେ ଅଚଳାବସ୍ଥା ଲାଗି ରହିଛି । ହେଲେ ଚାଷୀଙ୍କ ଦାବିକୁ ଶୁଣୁନାହିଁ ପ୍ରଶାସନ ।ଏହାର ସମାଧାନ ଦାବିରେ ଚାଷୀମାନେ ଗତ 11 ତାରିଖରେ ରାଜରାସ୍ତାରେ ଆନ୍ଦୋଳନ କରିଥିଲେ । ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଉଲୁଣ୍ଡା ବ୍ଲକ ହିକୁଡି ଛକରେ 12 ଘଣ୍ଟିଆ ରାସ୍ତାରୋକ କରାଯାଇଥିଲା । ଦାବି ପୂରଣ ପାଇଁ ଚାଷୀମାନେ ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥ ଅବରୋଧ କରିଥିଲେ ।
ଚାଷୀଙ୍କ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କୁ ସ୍ମାରକୀପତ୍ର ଜିଲ୍ଲା କୃଷକ ସଙ୍ଗଠନ ଉପସଭାପତି ବୈକୁଣ୍ଠ ନାଥ ଶତପଥୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ 8 ଦଫା ଦାବି ନେଇ ରାସ୍ତାରୋକ ଆନ୍ଦୋଳନ କରିବା ପରେ ଚାଷୀଙ୍କ ଦାବି ସବୁ ବିଚାରକୁ ନେଇ ପ୍ରଶାସନ ପକ୍ଷରୁ ଆନ୍ଦୋଳନ ଯାଗାରେ ଲିଖିତ ପ୍ରତିଶୃତି ଦିଆଯାଇଥିଲା । ଚାଷୀ ଧାନ ଚାଷ କରିଥିବା ସଂପୂର୍ଣ୍ଣ ଜମିର ପଞ୍ଜୀକରଣ କରାଯାଉ, ଚାଷୀ ପଞ୍ଜିକରଣରେ ଭାଗ ଚାଷୀଙ୍କ ନାମ ସାମିଲ କରାଯିବାକୁ ଦାବି କରିଛନ୍ତି ।
ତା ସହ ଭାଗ ଚାଷୀଙ୍କ ନାମ ସାମିଲ କରି ପୁନଃ ପଞ୍ଜୀକରଣ କରାଯାଉ, ମିଲର ଓ ପେକ୍ସ ମଧ୍ୟରେ ଦଲାଲ ରାଜ ବନ୍ଦ କରାଯାଉ,ଏଫ.ଏ .କ୍ୟୁ ମାନ ଧାନ ଆଳ ଦେଖାଇ ଚାଷୀଙ୍କ ଠାରୁ କଟଣି ଛଟନି ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ସେପଟେ ଧାନ କ୍ରୟ ବେଳେ ଚାଷୀଙ୍କ ଅଖା ବସ୍ତା, ପଲିଥିନ ବସ୍ତା ଫେରସ୍ତ କରାଯିବା ନେଇ ଦାବି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ପ୍ରତିଶୃତି ଦେବ । ପରେ ଚାଷୀ ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ । ହେଲେ ଆଜିଯାଏଁ ଚାଷୀଙ୍କ ଦାବି ପୂରଣ ହୋଇ ନ ଥିବାରୁ ଚାଷୀମାନେ ଆଜି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସହିତ ଆଲୋଚନା କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଦାବି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ପୁଣି ଦୁର୍ବାର ଆନ୍ଦୋଳନ କରିବେ ବୋଲି ଚାଷୀମାନେ ପ୍ରଶାସନକୁ ଧମକ ଦେଇଛନ୍ତି । ଏନେଇ ଆନ୍ଦୋଳନ ମଧ୍ୟ ଜୋର ଧରିଛି । ତୁରନ୍ତ ଦାବି ପୂରଣ କରା ନ ଗଲେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚାଷୀ ମାନେ ଜିଲ୍ଲା ପ୍ରଶାସନକୁ ଧମକ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ