ସୁବର୍ଣ୍ଣପୁର: ସରିଛି ଦଶହରା । ଆଜି ସହରର ମଣ୍ଡପଗୁଡିକରେ ଅପରାଜିତା ପୂଜା ଆରାଧନା ସଂପନ୍ନ ହେବା ପରେ ଦଶହରା ପୂଜାର ପୂର୍ଣ୍ଣାହୂତି ହୋଇଛି । ତେବେ ଦେବୀ ଜଗତଜନନୀଙ୍କ ମନ୍ତ୍ର ବିସର୍ଜନ ପର୍ବ ଶେଷ ହୋଇଛି । ଧରାପୃଷ୍ଠକୁ ଅବତରଣ କରିଥିବା ଦେବୀ ମା ଦୁର୍ଗା ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏବେ ଦେବୀ ମାଙ୍କ ମୃଣ୍ମୟୀ ପ୍ରତୀମାଙ୍କ ଘଟ ବିସର୍ଜନ ପର୍ବ ପାଇଁ ପୂଜା କମିଟି ଗୁଡିକ ପକ୍ଷରୁ ଆୟୋଜନ ଆରମ୍ଭ ହୋଇଛି ।
ସୂଚନା ଅନୁଯାୟୀ, ଆଜି ଆଜି ମଧ୍ୟାହ୍ନ 12ଟା 10 ମିନିଟରେ ଲଗ୍ନ ଅନୁଯାୟୀ ଦେବୀ ମଣ୍ଡପ ଗୁଡିକରେ ଚଣ୍ଡୀ ପାଠ, ଅପରାଜିତା ପୂଜା, ଦଶହରା ପୂଜା ଆରାଧନା ପର୍ବ ଆଦିର ସମାପନ ହୋଇଛି । ତେବେ ଆଜି ଦେବୀ ମା' ମଣ୍ଡପ ଗୁଡିକରେ ପୂଜା ପାଇବେ । ଆସନ୍ତାକାଲି ଅପରାହ୍ନରେ ଦେବୀଙ୍କ ଘଟ ବିସର୍ଜନ ପର୍ବ ଆୟୋଜନ ହେବ ବୋଲି ପୂଜା କମିଟି ଗୁଡିକ ସୂଚନା ଦେଇଛନ୍ତି । ସହରର ବ୍ଳକ ଛକର ଚାନ୍ଦୀମେଢ ପକ୍ଷରୁ ଆଜି ସଂଧ୍ୟାରେ ରାବଣ ଦରବାର ଓ ରାବଣ ପୋଡି କାର୍ଯ୍ୟକ୍ରମ ପାଇଁ ଆୟୋଜନ କରାଯାଇଛି । ସେହିପରି ମୃଣ୍ମୟୀ ପ୍ରତିମାଙ୍କ ବିସର୍ଜନ ପର୍ବ ପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ ଦଳ ସବୁକୁ ନିମନ୍ତ୍ରିତ କରାଯାଇଛି । ଆସାମର ବିହୁ ସାଙ୍ଗକୁ ଘଣ୍ଟବାଦ୍ୟ, ବଜାଶାଲ, ସମ୍ବଲପୁରୀ ଲୋକବାଦ୍ୟ, ନଚନିଆଁ, ପରଭା ନୃତ୍ୟ ଆଦି ସାଂସ୍କୃତିକ ଦଳସବୁ ବିସର୍ଜନ ପର୍ବରେ ସାମିଲ ହେବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।