ଓଡିଶା

odisha

ETV Bharat / state

ପଣ୍ଡାପାଲିରେ ସଡ଼କ ଦୁର୍ଘଟଣା, ଜଣେ ମୃତ ଜଣେ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢ଼ନ୍ତୁ

Breaking News

By

Published : Feb 3, 2023, 2:39 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପଣ୍ଡାପାଲି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ ଆଜି(ଗୁରୁବାର) ଅପରାହ୍ନରେ ଧର୍ମଶାଳା-ବୀରମହାରାଜପୁର ରାଜ୍ୟ ରାଜପଥର ପଣ୍ଡାପାଲି ଛକରେ ଏକ ବୋଲେରୋ ଗାଡ଼ି ସହିତ ବାଇକ ଚାଳକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କୁତମେଣ୍ଡା ଗାଁର ବାଇକ ଆରୋହୀ ବୀର ଘିବିଲାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ବାଇକରେ ଥିବା ଅନ୍ୟ ଜଣେ ଯୁବକ ବଡମାଲ ଗାଁର ବୁଲୁ ଭୋଇ ଗୁରୁତର ଭାବେ ଆହତ ହୋଇ ରାସ୍ତାରେ ଛିଟିକି ପଡ଼ିଥିଲେ ।

ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଆହତଙ୍କୁ ଉଦ୍ଧାର କରିଥିଲେ । ପରେ ବିରମହରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଆହତ ବୁଲୁଙ୍କୁ ପ୍ରାଥମିକ ଚିକିତ୍ସା କରି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ପଠାଇ ଦେଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଏକ ମାମଲା ରୁଜୁ କରିଛି ।

ସେହିପରି ଜାନୁଆରୀ ୩ ତାରିଖରେ ଯାଜପୁର ଟମକା ଥାନା ନିକଟସ୍ଥ ଫୁଲଝର ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଡୁବୁରୀ-ନରଣପୁର ଡୁବୁରୀ ପଟରୁ ଏକ ସ୍କୁଟିରେ ୩ ଜଣ ଯୁବକ ଟମକା ଆଡକୁ ଯାଉଥିଲେ । ସେହି ସମୟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକକୁ ପଛ ପଟକୁ ଧକ୍କା ଦେଇଥିଲା ସ୍କୁଟି । ଫଳରେ ସ୍କୁଟିଟି ଧକ୍କା ଦେଇ ଗାଡି ଭିତରକୁ ପଶି ଯିବାରୁ ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକ ଓ ମଝିରେ ବସିଥିବା ଯୁବକଙ୍କର ମୃତ୍ୟୁ ଘଟିଥିଲା । ପଛରେ ବସିଥିବା ଯୁବକଙ୍କୁ ମୁର୍ମୁଷ ଅବସ୍ଥାରେ ସେଠାରୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଥିଲା ।

ସେହିପରି ୪ ତାରିଖରେ ମଧ୍ଯ ଗଜପତିରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ କି ଜଣେ ବୃଦ୍ଧଙ୍କ ଜୀବନ ଚାଲି ଯାଇଥିଲା । ପରିବାର ଲୋକଙ୍କ ପାଇଁ ଜଳଖିଆ ନେଉଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ବୃଦ୍ଧ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ନଟରାଜ ହଲ୍ ସାମ୍ନାରେ ଏପରି ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଥିଲା । ତେବେ ମୃତ ବୃଦ୍ଧା ଜଣକ ରବିନ୍ଦ୍ର ନାରାୟଣ ପଣ୍ଡା ବୋଲି ଜଣାପଡିଥିଲା । ମେଡ଼ିକାଲ ରାସ୍ତାରୁ ଜଙ୍ଗମ ସାହି ରାସ୍ତାରେ ଏକ ମାଲ ବୋଝେଇ ଟ୍ରାକ୍ଟର ଯାଉଥିଲା । ସେହି ସମୟରେ ଟ୍ରାକ୍ଟର ଚକାତଳେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details