ସୁବର୍ଣ୍ଣପୁର:ଦୁରାବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ । ଫାଟକ ଆଗରେ ଥିବା କାଓ କେଜ ବା ଗୋରୁ ନିବାରଣ ଲୁହା ପାଇପ ଭଗ୍ନ ଅବସ୍ଥାରେ ପଡ଼ି ରହିଛି । ଫଳରେ ଏହି ଫାଟକରେ ବଡ଼ ଦୁର୍ଘଟଣା ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା । କାଓ-କେଜଟି ଦୀର୍ଘ ଦିନରୁ ଭଙ୍ଗା ଅବସ୍ଥାରେ ଥିବାରୁ ଏଠାରେ ଅନେକ ଛୋଟଛୋଟ ଦୁର୍ଘଟଣା ଘଟିଛି । ଅନେକ ବାଇକ ଆରୋହୀ ଏହି ଫାଟକରେ ଭାରସାମ୍ୟ ହରାଇ ଦୁର୍ଘଟଣାରେ ଶିକାର ହୋଇଛନ୍ତି।
ଏପରିକି କାଓ-କେଜ ଉପରେ ଗାଡି ଯିବା ବେଳେ ଶ୍ରୃତିକଟୁ ଶବ୍ଦ ହେଉଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଗୋଟିଏ ଲୁହା ପାଇପ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଏହାକୁ କେହି ଜଣେ ଫାଟକ ଉପରେ ଉଠାଇ ରଖିଛନ୍ତି। ଫଳରେ ଫାଟକ ଦେଇ ଯିବା ଆସିବା କରିବା ବାଧାପ୍ରାପ୍ତ ହୋଇଛି । ଏହାକୁ ନେଇ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ କାଓ-କେଜ ମରାମତି ବା ନୂତନ କାଓ-କେଜ ଲଗାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।