ସୁବର୍ଣ୍ଣପୁର: ବଣ ପାହାଡ଼ ଘେରା ସୁବର୍ଣ୍ଣପୁର । ଏହି ଅଞ୍ଚଳର ଲୋକେ ଖାଲି ଯେ କୃଷି କର୍ମ କରି ଜୀବିକା ନିର୍ବାହ କରନ୍ତି ତାହା ନୁହେଁ ,ଲଘୁ ବନ ଜାତ ଦ୍ରବ୍ୟ ସଂଗ୍ରହ ଉପରେ ବି ଶହ ଶହ ଆଦିବାସୀ ପରିବାରର ଜୀବନ ଜୀବିକା ନିର୍ଭର କରେ।
ବିଶେଷକରି ଉଲୁଣ୍ଡା ବନଖଣ୍ଡ ଅଂଚଳରେ ପ୍ରାୟ ଚାରୋଟି ପଞ୍ଚାୟତର ହଜ଼ାର ହଜ଼ାର ଲୋକ ମହୁଲ ଫୁଲ ସଂଗ୍ରହ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି। ଫାଲଗୁନ ଓ ଚୈତ୍ର ମାସରେ ମହୁଲ ଫୁଲ ସଂଗ୍ରହ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିଥାନ୍ତି।
ଏହି ଅଞ୍ଚଳର ଯଉଁରା ଭଉଁରା,ଚଡେଇପଙ୍କ,ସିଂଢୋଲ ଓ ଉଲୁଣ୍ଡା ପଞ୍ଚାୟତର କିଛି ଗାଁର ଲୋକେ ମହୁଲ ଫୁଲ ସଂଗ୍ରହ କରିଥାନ୍ତି। ଲୋକେ ମହୁଲ ଫୁଲ ପାଇଁ ନିଜ ପଡ଼ିଆ ଜମିରେ ଗଛ ବି ଲଗାଇଥାନ୍ତି। କିଛି ଲୋକ ସିଂହାସନ ଜଙ୍ଗଲ ଅଞ୍ଚଳରୁ ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ କିଛି ଲୋକ ନିଜସ୍ବ ଜମିରେ ଥିବା ଗଛରୁ ସଂଗ୍ରହ କରିଥାନ୍ତି।