ସୋନପୁର:ଆଜି (ରବିବାର) ଆଶ୍ବିନ ଶୁକ୍ଳ ପ୍ରତିପଦ । ସୋନପୁର ଗଡଜାତରେ ଆରମ୍ଭ ହୋଇଛି ଐତିହାସିକ ବଳୀଯାତ୍ରା । ଏହି ଅବସରରେ ଇଷ୍ଟଦେବୀ ମାଆ ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରୁଛନ୍ତି । ନୂଆ ନୂଆ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଶନିବାର ଅମାବାସ୍ୟା ତିଥିରେ ଧବଳମୁଖୀ ବେଶରେ ମାଆ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିବା ବେଳେ ଆଜି ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ ବେଶ ଧାରଣ କରିଛନ୍ତି । ଗତକାଲି ରାତ୍ର 11 ଘଣ୍ଟା 22 ମିନିଟ ପରେ ଶୁକ୍ଲ ପ୍ରତିପଦ ତିଥିର ଆଗମନ ହେଉଥିବାରୁ ଇଷ୍ଟ ଦେବୀ ମାଆ ସୁରେଶ୍ବରୀ ନିଜର ଧବଳମୁଖୀ ରୂପ ପରିବର୍ତ୍ତନ କରି ମହାକାଳୀ ବେଶ ଧାରଣ କରିଥିଲେ ।
ଦେବୀ ମାଆଙ୍କ ପୀଠରେ ବଳୀଯାତ୍ରାର ପାରମ୍ପରିକ ବାହୁତି ଛତ୍ର ଶୋଭାଯାତ୍ରା କାର୍ଯ୍ୟ ସମ୍ପନ୍ନ ହେବା ପରେ ମହାଳୟାରୁ ମାଆ ସୁରେଶ୍ବରୀ ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । ଆଜି ଦେବୀ ମାଆ ମହାକାଳୀ ବେଶରେ ଦର୍ଶନ ଦେବା ପରେ ତାରା ,ଭୈରବୀ, ଉଗ୍ରତାରା, ଭୂବନଶ୍ବରୀ, ମହିଷା ମର୍ଦ୍ଦିନୀ, ରାଜରାଜେଶ୍ବରୀ ଆଦି ବେଶ ଦଶମୀ ତିଥି ଯାଏଁ ଧାରଣ କରିବେ । ରକ୍ତମୁଖା ଦେବୀ ମାଆ ସୁରେଶ୍ବରୀଙ୍କ ଠାରେ ବର୍ଷ ତମାମ ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଆଜି ମାଆଙ୍କୁ ଅଗୁର, ଚନ୍ଦନ, କର୍ପୁର, ଗଙ୍ଗାଜଳ ଆଦି ପ୍ରଲେପ କରାଯାଇ ବେଶ କରାଯାଇଥିଲା । ସକାଳୁ ସକାଳୁ ଦେବୀଙ୍କ ମହାକାଳୀ ବେଶ ଦର୍ଶନ କରିବା ପାଇଁ ପୀଠକୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସନ୍ଧ୍ୟା ଆରତୀ ସହତି ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ହେବ ବୋଲି ଅନୁମାନ କରାଯାଉଛି ।