ସୁବର୍ଣ୍ଣପୁର:ଖୋଲା ଆକାଶ ତଳେ ପୂଜା ପାଉଛନ୍ତି ମହାକାଳେଶ୍ବର । ଇଶ୍ବରଙ୍କ ସ୍ବମନ୍ଦିର ଧ୍ବଂସ ପାଇବା ପରେ ଦେବ ଦେବ ମହାଦେବ ଅନ୍ୟତ୍ର ସ୍ଥାନାନ୍ତର ହୋଇ ନାହାଁନ୍ତି । ଆଉ ଶ୍ରଦ୍ଧାଳୁମାନେ ମହାକାଲେଶ୍ବରଙ୍କୁ ଖୋଲା ଆକାଶ ତଳେ ପୂଜା କରୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ ଆଶ୍ରୟହୀନ ଭାବେ 1976 ମସିହାରୁ ଆଜକୁ 54 ବର୍ଷ ହେଲା ମହାକାଳେଶ୍ବର ଖୋଲା ଆକାଶ ତଳେ ପୂଜା ପାଉଛନ୍ତି ପ୍ରଭୁ । ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟନାଥ ଗାଁର ପ୍ରସିଦ୍ଧ ଶୈବପୀଠ ଦ୍ବୟ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ମହାକାଳେଶ୍ବରଙ୍କ ପୀଠଟି ଧ୍ବଂସସ୍ତୁପରେ ପରିଣତ ହୋଇଛି । ଏନେଇ ନା ଅଛି ପ୍ରଶାସନର ନଜର ନା ଅଛି ପ୍ରତ୍ନତତ୍ତ୍ବ ବିଭାଗର ତତ୍ପରତା (Mahakaleswar temple neglected by administration) । ବିଭାଗର ଅବହେଳା ପାଇଁ ମାଟିରେ ମିଶିବାକୁ ବସିଲାଣି ମହାଦେବଙ୍କ ପୀଠ ।
ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୈବପୀଠ ଦେବ ଦେବ ମହାଦେବ ମହାକାଳେଶ୍ବରଙ୍କ ମନ୍ଦିର ଧ୍ବଂସ ହୋଇଯିବା ପରେ ଆଶ୍ରୟହୀନ ହୋଇଛନ୍ତି ଇଶ୍ବର । 1976 ମସିହାରେ ତେଲନଦୀର ପ୍ରଖର ସ୍ରୋତରେ ଧ୍ବଂସ ପାଇଛି ମନ୍ଦିର । ସୋନପୁର ଗଡଜାତରେ ସୋମବଂଶୀ ରାଜତ୍ବ କାଳରେ ତେଲନଦୀ କୂଳରେ ଏହି ମନ୍ଦିର ତିଆରି ହୋଇଥିବା ଐତିହାସିକ ପ୍ରମାଣ ରହିଛି । ତ୍ରୀଭୂଜାକାର କ୍ଷେତ୍ରରେ ତିନୋଟି ଶୈବପୀଠ କୋଶଳେଶ୍ବର ,ସୋମେଶ୍ବର ଓ ମହାକାଳେଶ୍ବର ପ୍ରାୟ ସପ୍ତମ ଶତାଦ୍ଦୀରେ ତିଆରି ହୋଇଥିଲା । ମନ୍ଦିର ତିନୋଟି ପ୍ରଥମେ ବୌଦ୍ଧ ସହଜଯାନ ତନ୍ତ୍ରପୀଠ ଭାବେ ବ୍ୟବହାର ହେଉଥିବା ଐତିହାସିକମାନେ ମତ ଦିଅନ୍ତି । କାଳକ୍ରମେ ପ୍ରାୟ ନବମ ଦଶକରେ ମନ୍ଦିର ତିନୋଟି ଶୈବ ପୀଠରେ ପରିଣତ ହୋଇଥିବା ଇତିହାସ କୁହେ । ଏବେ କାରୁକାର୍ଯ୍ୟପୂର୍ଣ୍ଣ କୋଶଳେଶ୍ବର ,ସୋମେଶ୍ବରଙ୍କ ମନ୍ଦିର ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବାବେଳେ ମହାକାଲେଶ୍ବର ମନ୍ଦିର ମାଟିରେ ମିଶିଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନାଁକୁ ଏକ ନାମଫଳକ ଲଗାଇ ନିଜ ଦାୟିତ୍ବରୁ ମୁକୁଳି ଯାଇଥିବା ଅଭଯୋଗ ହେଉଛି ।