ସୁବର୍ଣ୍ଣପୁର: ଦଶହରା ମାସରେ ସାରା ଦେଶରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଏ । ହେଲେ ସୋନପୁର ଗଡଜାତରେ ସୁବର୍ଣ୍ଣପୁରରେ ଦେବୀ ମା’ କନକ ଦୁର୍ଗାଙ୍କ ତାନ୍ତ୍ରିକ ଆରାଧନା ଏକ ଅନନ୍ୟ ପରମ୍ପରା । ଏଠାରେ ଦେବୀ ଦୁର୍ଗାଙ୍କ ଉପାସନାରେ ଦେଖିବାକୁ ମିଳେ ତାନ୍ତ୍ରିକ ପରମ୍ପରାର ଅନେକ ଝଲକ । ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗ କରି ଆଶ୍ବିନ ଉଆଁସରୁ ଆରମ୍ଭ ହେଉଥିବା ଏହି ତାନ୍ତ୍ରିକ ପୂଜାର ସମାପନ ହୁଏ ପୂର୍ଣ୍ଣମୀ ତିଥିରେ । ଉଡ୍ଡିୟାନ ତନ୍ତ୍ର ପୀଠର ଲଙ୍କା ତନ୍ତ୍ର ପୀଠ ଭାବରେ ପରିଚିତ ସୁବର୍ଣ୍ଣପୁରରେ କାହିଁ କେତେ ଦିନରୁ ତନ୍ତ୍ର ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗ କରି ହେଉଛି ମାତୃ ଉପାସନା ।
ଏହିପୀଠରେ ମୁଖ୍ୟତଃ ସାତୋଟି ଯନ୍ତ୍ର ଓ ତତସଂଲଗ୍ନ ମନ୍ତ୍ରକୁ ନେଇ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଏ । ମହାଯନ୍ତ୍ର ଉପରେ ଦୁର୍ଗାଦେବୀ, ଭୂବନେଶ୍ବରୀ ଯନ୍ତ୍ର ଉପରେ ଭୂବନେଶ୍ବରୀ ଓ ମହାକାଳୀଙ୍କୁ ଭୈରବୀ ଯନ୍ତ୍ର ଉପରେ ପ୍ରତିଷ୍ଠିତ କରାଯାଏ । ଏପରିକି ଦୁର୍ଗା, ବନଦୁର୍ଗା, ବଟୁକ ଭୈରବ, ଚମ୍ପା ଦଶମା ଆଦି ବିରଳ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗ କେବଳ ସୁବର୍ଣ୍ଣପୁରରେ ହିଁ ଦେଖିବାକୁ ମିଳେ । ଏଠାରେ ପ୍ରାୟ ସପ୍ତମ ଶତାଦ୍ଧିରେ ଲକ୍ଷ୍ମୀଙ୍କରା, ସହଜଯାନ ତନ୍ତ୍ର ସାଧନା କରି ମାତୃ ଉପାସନା କରୁଥିଲେ ।