ସୁବର୍ଣ୍ଣପୁର: ଆସିଯାଇଛି ପାର୍ବଣର ଋତୁ । ଆଉ କେଇଟା ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା । ସେ ଦୁଃଖହାରିଣୀ ମା' ଦୁର୍ଗାଙ୍କ ଆଗମନକୁ ଅପେକ୍ଷା କରିଛି ସାରା ସଂସାର । ସେପଟେ କିନ୍ତୁ ପବିତ୍ର ମୂଳାଷ୍ଟମୀ ଠାରୁ ମା'ଙ୍କ ଆରାଧନା ପାଇଁ ପ୍ରସ୍ତୁତ ସମସ୍ତ ଶକ୍ତିପୀଠ । ଉଚ୍ଚସ୍ବରର ବେଦମନ୍ତ୍ର ଉଚ୍ଚାରଣରେ ଚାଲିଛି ମା'ଙ୍କ ଆବାହନ । ପ୍ରତିଦିନ ମା' ଷୋଡଶ ଉପଚାରରେ ପୂଜା ପାଉଥିବାବେଳେ ଆରମ୍ଭ ହୋଇଯାଇଛି ନବରାତ୍ରି ପୂଜା ।
ଏହି କ୍ରମରେ ସୋମବାର ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ ତାରା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମହାଳୟା ତିଥିରେ ଦେବୀ ଧବଳମୁଖୀ ବେଶ ଧାରଣ କରିଥିବା ବେଳେ ରବିବାର ଦେବୀ କାଳୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଏହାପରେ ମା' ସୁରେଶ୍ବରୀ ତାରା, ଛିନ୍ନମସ୍ତା, କାଳୀ, ଭୈରବୀ, ମହିଷାମର୍ଦ୍ଦିନି, ରାଜରାଜେଶ୍ବରୀ ଆଦି ବେଶରେ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ।