ସୁବର୍ଣ୍ଣପୁର: ଜିଲ୍ଲା ଚଡେଇପଙ୍କ ପଞ୍ଚାୟତର ଲଖନପୁର ଗ୍ରାମବାସୀ ବୁଧବାର ସନ୍ଧ୍ୟାରେ ଉଲୁଣ୍ଡା ତହସିଲଦାରଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଜଙ୍ଗଲ ଜମିରେ ରହି ଆସୁଥିବା ପ୍ରାୟ 70ଟି ପରିବାରକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବା ପାଇଁ ନୋଟିସ ଦିଆଯିବା ପରେ ଗ୍ରାମବାସୀ ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ।
ଜବର ଦଖଲ ଉଚ୍ଛେଦକୁ ନେଇ ତାତିଲେ ଗ୍ରାମବାସୀ ସୂଚନାନୁଯାୟୀ, ଉଲୁଣ୍ଡା ତହସିଲଦାରଙ୍କ କାର୍ଯ୍ୟାଳୟରୁ ରାଜସ୍ବ ନିରୀକ୍ଷକଙ୍କୁ ଗୁରୁବାର ଜବର ଦଖଲ ଉଚ୍ଛେଦ ହେବା ନେଇ ଏକ ଚିଠି ଆସିଥିଲା । ଏହା ଜାଣିବା ପରେ ଦୀର୍ଘଦିନରୁ ରହି ଆସୁଥିବା ଏଠାକାର ଲୋକେ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଲଖନପୁର ଗାଁ ଲୋକେ ଦୀର୍ଘ ଦିନରୁ ଏହି ଜଙ୍ଗଲ ଜମିରେ ଘର କରି ରହି ଆସୁଥିବା ବେଳେ ଏହି ଜାଗାକୁ ଖାଲି କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ସରକାରୀ ଜମିରୁ ଜବର ଦଖଲ ଉଛେଦ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ନ୍ୟାୟାଳୟର ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି । ଏହାକୁ ବିରୋଧ କରି ଗ୍ରାମବାସୀ ଆନ୍ଦୋଳନ କରିବା ସହିତ ଉଚ୍ଛେଦକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ହେଲେ ଆନ୍ଦୋଳନ ପରେ ବି ପ୍ରଶାସନ ନରମି ନଥିବା ବେଳେ ଗୁରୁବାର ଜିଲ୍ଲା ପୋଲିସ ଆବଶ୍ୟକ ସୁରକ୍ଷା ଯୋଗାଇ ଦେଲେ ଉଚ୍ଛେଦ କରାଯିବ ବୋଲି ଜଣାପଡିଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ