ସୁବର୍ଣ୍ଣପୁର: ସୋନପୁର ସୂତାକଳରେ ଶ୍ରମିକ ଶୋଷଣ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲାର ଏକମାତ୍ର ଶିଳ୍ପାନୁ୍ଷ୍ଠାନ ବାଲାଜୀ ଗଣପତି ସ୍ପିନିଂ ମିଲ୍ ଘରୋଇକରଣ ହେବା ପରେ ଶ୍ରମିକମାନଙ୍କ ଦାବି ମିଲ କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି । ତିନି ବର୍ଷଧରି ଶ୍ରମିକମାନଙ୍କ ବକେୟା ଓ ଇପିଏଫ ଟଙ୍କା ମିଲ କର୍ତ୍ତୃପକ୍ଷ ଦେଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଏହାସହ ସରକାର ଏହି ମିଲ୍କୁ ନିଜ ହାତକୁ ନେଇ ପୁଣି କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି ଶ୍ରମିକ ।
ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଆନ୍ଦୋଳନ କରିବା ପରେ ଶ୍ରମିକମାନଙ୍କୁ ବକେୟା ଦରମା ଓ ଇପିଏଫ ଟଙ୍କା ମିଲ୍ କର୍ତ୍ତୃପକ୍ଷ ଦେବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ସୂତାକଳ ମ୍ୟାନେଜର ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ମାସକ ଭିତରେ ବକେୟା ଦରମା ଶ୍ରମିକ ଓ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ବୋଲି ଲିଖିତ ପ୍ରତିଶୃତି ବି ଦେଇଥିଲେ । ହେଲେ ଇତିମଧ୍ୟରେ ବର୍ଷାଧିକ ସମୟ ବିତି ଯାଇଥିଲେ ବି ଶ୍ରମିକମାନେ କିନ୍ତୁ ତାଙ୍କ ପାଉଣା ପାଇବାକୁ ବଞ୍ଚିତ ।
ସୂତାମିଲର ଇତିହାସ: ହଜାରେ ଦିନରେ ହଜାରେ ଶିଳ୍ପ ନାଁରେ କଂଗ୍ରେସ ଶାସନକାଳରେ ପ୍ରତିଷ୍ଠା କରାଯାଇଥିଲା ଏହି ସୂତାକଳ । ଏହା କଳରେ କାର୍ଯ୍ଯ କରୁଥିବା ଶ୍ରମଜିବୀମାନଙ୍କ ଆର୍ଥିକ ଅବସ୍ଥା ବେଶ ସ୍ବଚ୍ଛଳ ଥିଲା । ହଜାରହଜାର ଶ୍ରମିକଙ୍କ ଯାଆସରେ ବେଶ ଚଳଚଞ୍ଚଳ ଥିଲା ସୂତାକଳ ପରିବେଶ । ପ୍ରତିଦିନ ତିନୋଟି ସିଫ୍ଟରେ ହଜାର ହଜାର ଶ୍ରମିକ କାର୍ଯ୍ୟ କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ ।