ସୁବର୍ଣ୍ଣପୁର: ଜିଲ୍ଲାରେ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ । କୋରୋନା କଟକଣା ଭିତରେ ପୁର ପଲ୍ଲୀରୁ ଆରମ୍ଭ କରି ସହରର ଅଷ୍ଟବିଷ୍ଣୁଙ୍କ ମନ୍ଦିର ସବୁଠାରେ ହରିବଂଶ ପୁରାଣର ଶ୍ରୀକୃଷ୍ଣ ଜନ୍ମ ଅଧ୍ୟାୟ ପାଠ କରାଯାଉଛି । ମହିଳାମାନେ ବାଳ ଗୋପାଳଙ୍କୁ ପଞ୍ଚାମୃତ ଓ ଗଙ୍ଗାଜଳରେ ସ୍ନାନ କରାଇ ଧୂପ, ଦୀପ ପ୍ରଦାନ କରିବା ସହିତ ପାରମ୍ପରିକ ରୀତିନୀତିରେ ପୂଜା ଆରାଧନା କରୁଛନ୍ତି ।
ଅଷ୍ଟ ବିଷ୍ଣୁଙ୍କ ମନ୍ଦିର ସମେତ ପୁରପଲ୍ଲୀରେ ଥିବା ବିଷ୍ଣୁ ମନ୍ଦିର ଗୁଡିକରେ ପୁରାଣ ପାଠ, ସଂକୀର୍ତ୍ତନ ଆଦିର ଆୟୋଜନ କରାଯାଇଛି । ପାହାନ୍ତାରୁ ଶ୍ରଦ୍ଧାଳୁମାନେ କୋଭିଡ କଟକଣା ଭିତରେ ବିଷ୍ଣୁ ମନ୍ଦିର ଗୁଡିକରେ ଦର୍ଶନ କରିଛନ୍ତି । ସହରର ଅଷ୍ଟବିଷ୍ଣୁଙ୍କ ମନ୍ଦିର ଗୁଡିକରେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଶ୍ରଦ୍ଧାଳୁମାନେ ମାସ୍କ ବ୍ୟବହାର କରିବା, ହାତ ସାନିଟାଇଜ ତଥା ସାମାଜିକ ଦୂରତ୍ବ ରକ୍ଷା କରି ଦର୍ଶନ କରୁଛନ୍ତି । ମହିଳା ଶ୍ରଦ୍ଧାଳୁମାନେ ଆଜି କାୟ ମନୋବାକ୍ୟରେ ଉପବାସ ରହିବା ସହିତ ଶ୍ରୀକୃଷ୍ଣ ପ୍ରେମରେ ବିମୋହିତ ହୋଇ ପଡିଥିବା ଦେଖିବାକୁ ମିଳିଛି ।