ସୁବର୍ଣ୍ଣପୁର:ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏହି ପର୍ବ ଲୋକଙ୍କ ଭାବାବେଗ ସହ କାହିଁ କେଉଁ କାଳରୁ ଜଡ଼ିତ । ଏହା କେବେ ଆରମ୍ଭ ହୋଇଥିଲା ତାହା ଉପରେ କିଛି ସ୍ପଷ୍ଟ ତଥ୍ୟ ନାହିଁ । ମୁଖ୍ୟତଃ ସମ୍ବଲପୁର ଅଞ୍ଚଳର ଆଦିବାସୀ ନୂଆଁଖାଇ ଆରମ୍ଭ କରିଥିଲେ ବୋଲି ବିଶ୍ୱାସ କରାଯାଏ । ପ୍ରକୃତି ଦତ୍ତ ପ୍ରଥମ ଅନ୍ନକୁ ଈଶ୍ୱରଙ୍କୁ ନୈବେଦ୍ୟ ଅକାରରେ ପ୍ରଦାନ କରିବା ପରେ ନିଜେ ଗ୍ରହଣ କରିବାର ଏହି ପରମ୍ପରାକୁ ଆଦିବାସୀମାନେ ନୂଆଁଖାଇ ବୋଲି କହୁଥିଲେ । ତେବେ ନୂଆଁଖାଇ ପର୍ବରେ ସୋନ୍ପୁର ଗଡ଼ଜାତରେ ଦେବୀ ମା' ସମଲେଇଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଚୌହାନ ଶାସନ ଅମଳରେ ଦେବୀ ମା' ସମଲେଇଙ୍କୁ ନେଇ ସୋନପୁର ଗଡଜାତରେ ସବୁ ପର୍ବ ପର୍ବାଣୀ ପାଳିତ ହେଉଥିଲା । ସେହିପରି ରାଜତନ୍ତ୍ରର ବିଲୋପ ପରେ ଚୌହାନ ଶାସକଙ୍କ ଇଷ୍ଟ ଦେବୀ ମା ସମଲେଇଙ୍କୁ ଆଧାର କରି ନୂଆଁଖାଇ ପାହୁର ପର୍ବର ଆୟୋଜନ କରାଯାଇ ଆସୁଛି ।
ରାଜତନ୍ତ୍ର ସମୟରେ ଗଡ଼ଜାତର ତିଲେଶ୍ବରା ଛତରିଆ ପହିଲି ଶସ୍ୟରେ ତିଆରି ଅରୁଆ ଚାଉଳ, ଅରୁଆ ଚୁଡ଼ା ଓ ଟୁପା ଆଣି ରାଜଭଣ୍ଡାରରେ ଦାଖଲ କରୁଥିଲେ । ସେହିପରି କୁମ୍ଭକାର ନୂତନ ଟଡିଆ ଜମା ଦେଉଥିବା ବେଳେ ମହାଲିକ ଶୁଦ୍ଧ ଗୁଆଘିଅ ଓ ଚୁଡା ଆଣି ରାଜଭଣ୍ଡାର ଜମା ଦେଉଥିଲେ । ଯାହା ନୂଆଁଖାଇ ତିଥିରେ ରାଜପ୍ରାସାଦର ଦେବୀ ମା କନକ ଦୁର୍ଗାଙ୍କ ମନ୍ଦିରରୁ ପାହୁର ବା ଭୋଗ ଖଂଜା ଭାବେ ଅଷ୍ଟଚଣ୍ଡୀ ପୀଠକୁ ଯାଉଥିଲା । ସେଦିନର ପାହୁର ପରମ୍ପରା ଆଜିଯାଏଁ ଚାଲି ଆସିଛି । ତେବେ ବର୍ତ୍ତମାନ ସମୟରେ ତାହା ସଦର ପୌର ପରିଷଦ ଆୟୋଜନ କରୁଥିବା ବେଳେ ପାହୁର ଯାତ୍ରା କମିଟି ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାହୁର ଅଷ୍ଚଚଣ୍ଡୀଙ୍କ ପୀଠକୁ ନେଉଛନ୍ତି । ରାଜତନ୍ତ୍ରର ବିଲୋପ ପରେ ଦେବୀ ମା କନକ ଦୁର୍ଗାଙ୍କ ମନ୍ଦିର ବି ବିଲୁପ୍ତ ହୋଇ ଯାଇଥିବା ବେଳେ ଗଡ଼ଜାତର ଚୌହାନ ଶାସକଙ୍କ ଇଷ୍ଟଦେବୀ ମା' ସମଲେଇଙ୍କ ପୀଠରେ ଏହି ପାହୁର ପର୍ବର ଆୟୋଜନ କରାଯାଉଛି ।