ସୁବର୍ଣ୍ଣପୁର: ଭଲକରି ଦେଖନ୍ତୁ ଏହି ବ୍ୟକ୍ତିଙ୍କୁ । ନାମ ବାସୁଦେବ ପ୍ରଧାନ । ଗାଁ ସୁବର୍ଣ୍ଣପୁରର ଘଣ୍ଟୋପାଲି। ଦିନର ଅଧିକାଂଶ ସମୟ ଶୋଇବାରେ ବିତୁଛି । ଉଠିବାକୁ ଶକ୍ତି ନାହିଁ । କଥା ହେବାକୁ ବଳ ନାହିଁ । କାରଣ ସେ କିଡନୀ ରୋଗରେ ଆକ୍ରାନ୍ତ । ସେହିପରି ଆଉ ଜଣେ ହେଲେ କିଡନୀ ରୋଗୀ ତପନ ଦେହୁରୀ । ଉଭୟଙ୍କ କିଡନୀ ପ୍ରତ୍ୟାରୋପଣ ସରିଛି । କିନ୍ତୁ ଉଭୟ ରୋଗୀଙ୍କ ସମସ୍ୟା ଗୋଟିଏ। ପରବର୍ତ୍ତୀ ଚିକିତ୍ସା ପାଇଁ ନାହିଁ ଅର୍ଥ । ଫଳରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଏହା କେବଳ ଏ ଦୁଇ ଜଣଙ୍କ ସମସ୍ୟା ନୁହେଁ । ସାରା ଗାଁର 20 ଜଣଙ୍କ ଅବସ୍ଥା ସମାନ । 6 ଜଣଙ୍କୁ ଆବଶ୍ୟକ ଡାଏଲିସିସ । 14 ଜଣ ପ୍ରାଥମିକ ଅବସ୍ଥାରେ । କିନ୍ତୁ କାହାରି ପାଖରେ ଚିକିତ୍ସା ପାଇଁ ଅର୍ଥ ନାହିଁ । ଗତ 5 ବର୍ଷରେ ଏହି ରୋଗ ନେଇଛି 5 ଜୀବନ ।
ସେପଟେ କିନ୍ତୁ ସ୍ବାସ୍ଥ୍ୟ ବିଭାଗ କେବଳ ଏକ ସଚେତନତା ଶିବିରର ଆୟୋଜନ କରି ନିଜ ଦାୟିତ୍ବ ଶେଷ କରିଛି । ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ସୋନପୁର ରୋଗୀଙ୍କ ପାଇଁ ବୌଦ୍ଧରେ ଡାଏଲିସିସ ବ୍ୟବସ୍ଥା ରହିଛି ଏବଂ ରୋଗପାଇଁ ଆବଶ୍ୟକ ଔଷଧ ଡାକ୍ତରଖାନାରୁ ମାଗଣାରେ ଦିଆଯାଉଛି।