ସୁବର୍ଣ୍ଣପୁର: କିଡନୀ ରୋଗରେ ଜର୍ଜରୀତ ଗ୍ରାମବାସୀ । ଫ୍ଲୋରାଇଡ ଯୁକ୍ତ ପାଣି ତଥା ଦୂଷିତ ପାଣି ପିଇବା ଯୋଗୁଁ ରୋଗରେ ସମ୍ମୁଖୀନ ହେଉଥିବା ଜଣାପଡିଛି । ସୁବର୍ଣ୍ଣପୁର ଜିଲ୍ଲା ଘଣ୍ଟୋପାଲି ଗାଁରେ ବ୍ୟାପିଛି କିଡନୀ ରୋଗ ।
ଚାରି ବର୍ଷ ଭିତରେ ଛଅ ଜଣମୃତ୍ୟୁ ବରଣ କରିଥିବା ବେଳେ ଏବେ ବି ପ୍ରାୟ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । ରୋଗ ବ୍ୟାପିବାର କାରଣ ଜଣାନଥିଲେ ବି ଦୂଷିତ ପାଣି ହିଁ ପ୍ରମୁଖ କାରଣ ବୋଲି ଗ୍ରାମବାସୀ ଅନୁମାନ କରୁଛନ୍ତି । ନଳକୂପର ପାଣି ଫ୍ଲୋରାଇଡ ଯୁକ୍ତ ପାଣି ହୋଇ ଥିବାରୁ ଲୋକେ କିଡନୀ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗାଁରେ ୫୦ଟି ପରିବାର ବସବାସ କରୁଥିବା ବେଳେ ଅଧିକାଂଶ ପରିବାରର କେହି ନା କେହି କିଡନୀ ରୋଗରେ ପୀଡିତ ହୋଇଛନ୍ତି । ଗାଁର ଅଧିକାଂଶ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବାରୁ ଏମାନେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସାରୁ ବଂଚିତ ହେଉଛନ୍ତି । ଗାଁରେ ଆଜି ଯାଏଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇ ନ ଥିବା ବେଳେ ଗାଁରେ ଥିବା ଗୋଟିଏ ନଳକୂପ ହିଁ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି । ଯାହା ଫଳରେ କିଡନୀ ରୋଗରେ ସାରା ଗ୍ରାମବାସୀ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇ ଆସୁଛି । ଏନେଇ ସରକାରୀ ବାବୁମାନଙ୍କୁ ଗୁହାରି କରିଥିଲେ ହେଁ କୌଣସି ସୁଫଳ ମିଳୁ ନାହି ବୋଲି ଗ୍ରାମବାସୀ କହିଛନ୍ତି ।