ସୁବର୍ଣ୍ଣପୁର: ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏନେଇ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା କୃଷି ସଚେତନତା ରଥ ପରିକ୍ରମା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର ଜିଲ୍ଲାରେ ଅଭାବୀ ବିକ୍ରି ରୋକିବା ସହିତ ଚାଷୀ ସଚେତନତା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ରଥ ପରିକ୍ରମା ବାହାରିଛି । ଏଥିସହିତ ବିଜ୍ଞାପନ ଜରିଆରେ ମଧ୍ୟ ଚାଷୀ ସଚେତନ କରାଯାଉଛି । ନଭେମ୍ବର 15 ତାରିଖରେ ଧାନ କ୍ରୟ ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ସେମାନଙ୍କୁ ରାଜସ୍ବ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ସହଯୋଗ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଚଳିତବର୍ଷ 64ଟି ସେବା ସମବାୟ ସମିତି ଓ 17ଗୋଟି ଏସଏସଜି କ୍ରୟ କେନ୍ଦ୍ର ମାଧ୍ୟମରେ ଧାନ ସଂଗ୍ରହ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ସାଧାରଣ ଧାନ କ୍ବିଣ୍ଟାଲ ପିଛା 1815 ଟଙ୍କା ଓ ଗ୍ରେଡ-1 ଧାନ 1835 ଟଙ୍କା ଚାଷୀଙ୍କୁ ଦିଆଯିବ । ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ହେଲେ ଚାଷୀ ଯେପରି ଅଭାବୀ ବିକ୍ରିର ଶିକାର ନହେବା ସହ ଦଲାଲ ହାବୁଡ଼ରେ ଯେପରି ନପଡେ ସେଥିପ୍ରତି ଧ୍ୟାନ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ସମସ୍ତ 6 ଗୋଟି ବ୍ଲକରେ ପ୍ରତ୍ୟେକ ପଞ୍ଚାୟତରୁ ଚାଷୀଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ ପାଇଁ ଆଗମୀ 15 ତାରିଖରୁ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଛି । ଧାନ କ୍ରୟରେ ସରକାରୀ କର୍ମଚାରୀ ତ୍ରୁଟି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କର୍ମଚାରୀଙ୍କୁ ସଚେତନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ