ସୁବର୍ଣ୍ଣପୁର:ଉଲୁଣ୍ଡା ଅଞ୍ଚଳରୁ ବ୍ୟାପକ ପରିମାଣର କାଠ ଚୋରି ହେଉଥିବା ଅଭିଯୋଗ ହୋଇଛି । କିନ୍ତୁ ଏଥିପ୍ରତି ଦୃଷ୍ଟି ଦେଉନାହିଁ ବନ ବିଭାଗ । କାଠ ମାଫିଆଙ୍କ ସହିତ ସଲାସୁତୁରା କରି ବନ ବିଭାଗ କର୍ମଚାରୀମାନେ ପରୋକ୍ଷରେ ବେଆଇନ କାଠ ବ୍ୟବସାୟରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏଥପ୍ରତି ବିଭାଗ ଯତ୍ନବାନ ନ ହେଲେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛି ବିଜେପି ନେତା ବଳଦେବ ବେଦବାଗ ।
ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ବ୍ୟାପକ ପରିମାଣରେ କାଠ ଚୋରି ହେଉଥିବା ବେଳେ ଦିନ ଦ୍ବିପ୍ରହରରେ କାଠ ବେପାର ଚାଲିଛି । ପୁରୁଣା ଜଙ୍ଗଲର ପୁନଃରୁଦ୍ଧାର, ନୂତନ ଜଙ୍ଗଲ ସୃଷ୍ଟି ନାଁରେ କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ କରାଯାଉଛି । ହେଲେ କାଠ ମାଫିଆମାନେ ଜଙ୍ଗଲ କ୍ଷୟ କରି ଚାଲିଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମ୍ୟ କମିଟି ଗଠନଠାରୁ ଆରମ୍ଭ କରି ଟାକ୍ସ ଫୋର୍ସ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି । ହେଲେ ସବୁ କାଗଜ କଲମରେ ଚାଲିଥିବା ବେଳେ ଦିନକୁ ଦିନ ଜଙ୍ଗଲ ହ୍ରାସ ହେବାରେ ଲାଗିଛି ।