ସୁବର୍ଣ୍ଣପୁର:ଅପ୍ରାକୃତିକ ଉପାୟରେ ମହାନଦୀରେ ଚାଲିଛି ମାଛ ମରା । ପାଣି ଭିତରେ ପଥର ଫଟାଇବା ପାଇଁ ବ୍ୟବହୃତ ହେଉଥିବା ବ୍ଳାଷ୍ଟିଂ ବ୍ୟବହାର କରାଯାଇ ମାଛ ଧରୁଛନ୍ତି ଦୁର୍ବୃତ୍ତ । ସୁବର୍ଣ୍ଣପୁରରେ ପ୍ରବାହିତ ମହାନଦୀରେ ଏପରି ଚାଲିଛି ମାଛ ମରା କାମ । ଫଳରେ ମାଛ ସହିତ ଯାଆଁଳା ଓ ଅନ୍ୟାନ୍ୟ ଜଳଚର ଜୀବଙ୍କ ସଂଖ୍ୟା ଗତିରେ କମିବାରେ ଲାଗିଛି ।
ମହାନଦୀ ଗର୍ଭରେ ବେଆଇନ ବ୍ଲାଷ୍ଟିଂ ମାଧ୍ୟମରେ ଚାଲିଛି ମାଛ ଧରା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତଥା ଝରା ଓ କେଉଁଟ ସଂପ୍ରଦାୟର ଲୋକେ ବେଆଇନ ଭାବେ ଅପ୍ରାକୃତିକ ଉପାୟରେ ମାଛ ମାରିବା ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ ।
ଗତ 2012-13 ମସିହାରେ ତତ୍କାଳୀନ ଜିଲ୍ଲାପାଳ ଗଗନ ବିହାରୀ ସ୍ବାଇଁ ମହାନଦୀ ଭିତରେ ବେଆଇନ କାର୍ଯ୍ୟକୁ ରୋକିବାରେ ସଫଳ ହୋଇଥିଲେ । ମହାନଦୀର ନିର୍ମଳ ଜଳରାଶିର ସୁରକ୍ଷା ସହିତ ଜଳଜୀବଙ୍କୁ ସୁରକ୍ଷା ଦେଇ ଜିଲ୍ଲାବାସୀଙ୍କ ବିଶ୍ବାସ ଭାଜନ ହୋଇପାରିଥିଲେ । ତେବେ ଜିଲ୍ଲାର କେଉଁଟିପାଲିରୁ ଆରମ୍ଭ କରି ସୁବଳୟା ଯାଏଁ ପ୍ରବାହିତ ପ୍ରାୟ 80 କିଲୋମିଟର ଅଞ୍ଚଳରେ ବେଆଇନ ଭାବେ ବ୍ଲାଷ୍ଟିଂ ହେଉଥିବା ନଜରି ରହିଛି ।
ମହାନଦୀ ଗର୍ଭରେ ହୁଲି ଡଙ୍ଗାରେ ଯାଇ ମତ୍ସ୍ୟଜୀବୀମାନେ ଜାଲ ସାହାଯ୍ୟରେ ମାଛ ମାରୁଥିଲେ । ହେଲେ ଏବେ ଅପ୍ରାକୃତିକ ଉପାୟରେ ମାଛ ମରାଯାଉ ଥିବାରୁ ମହାନଦୀ ଜଳ ପ୍ରଦୂଷିତ ହେବା ସହିତ ଜଳଜୀବଙ୍କ ସଂଖ୍ୟା କମିବାରେ ଲାଗିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ