ସୁବର୍ଣ୍ଣପୁର: ଜିଲ୍ଲାରେ ବେଆଇନ ଗଞ୍ଜେଇ ବ୍ୟବସାୟ ହେଉଥିବା ଅଭିଯୋଗ କରିଛନ୍ତି ମହିଳାମାନେ । ସୁବର୍ଣ୍ଣପୁର ସହରର ପଟାଭାଡିରେ ବେଆଇନ କାର୍ଯ୍ୟ ହେଉଥିବା ପଡାର ମହିଳାମାନେ ସଦର ଥାନାରେ ଅଭିଯୋଗ କରିଛନ୍ତି ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର ସ୍ବେଛାସେବୀ ଜ୍ୟୋତିର୍ମୟୀ ରଥଙ୍କ ନେତୃତ୍ବରେ ପଟାଭାଡିର ମହିଳାମାନେ ପଡାରେ ଗଞ୍ଜେଇ ବ୍ୟବସାୟ, କଫ୍ ସିରଫ ବ୍ୟବସାୟ ସହିତ ଦେହ ବ୍ୟବସାୟ ଚାଲୁଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି । ପଡାର ଉତ୍ତମ ମେହେର ନାମକ ଜଣେ ବ୍ୟକ୍ତି ଏସବୁ ବେଆଇନ କାର୍ଯ୍ୟରେ ସଂପୃକ୍ତ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ସେହିପରି ପଡାରେ ଦେହ ବ୍ୟବସାୟରେ ତିନି ଜଣ ମହିଳା ସମୃକ୍ତ ଅଛନ୍ତି ବୋଲି ଥାନାରେ ଏତଲା ଦେଇଛନ୍ତି ମହିଳାମାନେ ।
ପଡାର ଉତ୍ତମ ମେହେର ଏହି ବେଆଇନ କାର୍ଯ୍ୟ କରୁଥିବା ବେଳେ ରବି ମେହେର ସେସବୁକୁ ପ୍ରୋତ୍ସାହନ ଦେଉଛି ବୋଲି ଏତାଲାରେ ଦର୍ଶାଇଛନ୍ତି । ପୋଲିସ ପେଟ୍ରୋଲିଂ ଦଳକୁ ଅନେକଥର କହିବା ପରେ ବି ରବି ମେହେର ଘରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା । ପୋଲିସ ଏହି ଘଟଣାକୁ ହାଲୁକା ଭାବେ ଗ୍ରହଣ କରି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଉଥିବାରୁ ମହିଳାମାନେ ଦଳଗତ ଭାବେ ସଦର ଥାନାକୁ ଆସି ଲିଖିତ ଭାବେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେବା ପରେ ମହିଳାମାନେ ଥାନାରୁ ଫେରିଯାଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ