IIT Student From Odisha Dies By Suicide ସୋନପୁର: ହାଇଦ୍ରାବାଦ ଆଇଆଇଟିରେ ଓଡିଶା ଛାତ୍ରୀ ମମିତା ନାୟକଙ୍କ ମୃତ୍ୟୁ ଘଟଣା । କେମିତି ହେଲା ମମିତାଙ୍କ ମୃତ୍ୟୁ । ମାନସିକ ଚାପ ଯୋଗୁଁ ମମିତା ଜୀବନ ହାରିଛନ୍ତି ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ । ଘଟଣାକୁ ଚପାଇ ଦେବାକୁ ଆତ୍ମହତ୍ୟାର ରୂପ ଦିଆଯାଉ ନାହିଁ ତ । ସୁଇସାଇଡ ନୋଟରେ ମୃତ୍ୟୁର କାରଣ ମାନସିକ ଚାପ ଉଲ୍ଲେଖ ରହିଥିବା ପୋଲିସ କହୁଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକେ । ଏହା ଏକ ସୁପରକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ ଆଣଛନ୍ତି । ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି ।
ବୁଧବାର ମଧ୍ୟାହ୍ନରେ ସୋନପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଡୁମୁରି ଗାଁରେ ପହଞ୍ଚିଥିଲା ମମିତାଙ୍କ ପାଥିବ ଶରୀର । ଏହାପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ମମିତାଙ୍କ ଗାଁ ଡୁମୁରି । ରାଗିଂରୁ ଏପରି ହୋଇଥାଇ ପାରେ ନଚେତ୍ ଝିଅକୁ ହତ୍ୟା କରାଯାଇଛି ବୋଲି ସମ୍ପର୍କୀୟ ମାନେ ଅଭିଯୋଗ ଆଣିଥିଲେ । ଅପରାହ୍ନ ସମୟରେ ଗାଁ ମଶାଣୀରେ ମମିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ମେଧାବୀ ଛାତ୍ରୀ ମମିତାଙ୍କ ମୃତ୍ୟୁ ଘଟଣାକୁ ପରିବାର ଲୋକେ ଓ ଆତ୍ମୀୟ ସ୍ବଜନ ସହଜରେ ଗ୍ରହଣ କରିପାରୁନାହାନ୍ତି । ମାନସିକ ଚାପ ଯୋଗୁଁ ମମିତା ଜୀବନ ହାରିଥିବା ସୁଇସାଇଡନୋଟରେ ଉଲ୍ଲେଖ ରହିଛି । ଗତ ଜୁଲାଇ 26 ତାରିଖରେ ଆଇଆଇଟିରେ ସିଭିଲ ଇଞ୍ଜିନିୟରିଂରେ ଏମ ଟେକ ଛାତ୍ରୀ ଭାବେ ନାମ ଲେଖାଇ ହଷ୍ଟେଲକୁ ଯାଇଥିଲେ । ମାତ୍ର 10 ଦିନର ବ୍ୟବଧାନରେ ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ । ମମିତା ଅଧ୍ୟୟନ କରୁଥିବା ଆଇଆଇଟି ହାଇଦ୍ରାବାଦ କର୍ତ୍ତୃପକ୍ଷ ଓ ପୋଲିସ ପାଖରୁ ପରିବାର ବର୍ଗ ଝିଅର ଅସ୍ବାଭାବିକ ମୃତ୍ୟୁର ସନ୍ତୋଷ ଜନକ ଉତ୍ତର ପାଇନାହାନ୍ତି । ଅନ୍ୟପଟେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ବର୍ଗ ତଥା ଅଞ୍ଚଳର ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ହାଇଦ୍ରାବାଦ IITରେ ଜୀବନ ହାରିଲେ ଓଡ଼ିଆ ଛାତ୍ରୀ
ଏହି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହିତ ଆଇଆଇଟି ହାଇଦ୍ରାବାଦରେ ଅଧ୍ୟୟନରତ ଛାତ୍ରୀମାନଙ୍କ ସାମାଜିକ ସୁରକ୍ଷା ପାଇଁ ଅଞ୍ଚଳବାସୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ମମିତାଙ୍କ ମୃତ୍ୟୁର ସିବିଆଇ ତଦନ୍ତ କରିବା ସହିତ ଦୋଷୀକୁ ଆଇନ ଅନୁଯାୟୀ ଦଣ୍ଡ ପ୍ରଦାନ କଲେ ତାହା ମମିତାଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବୁଦ୍ଧିଜୀବୀ ମାନେ ପ୍ରତିକ୍ରିୟା ରଖିଛନ୍ତି ।
ଏନେଇ ମୃତ ଛାତ୍ରୀଙ୍କ ସମ୍ପର୍କୀୟ କହିଛନ୍ତି, ''ରାଗିଂ ଯୋଗୁଁ ଏପରି ହୋଇଛି ନହେଲେ ତାକୁ ହତ୍ୟା କରାଯାଇଛି । 4 ତାରିଖ ଦିନ ସେ ଘର ଲୋକଙ୍କ ସହ କଥା ହୋଇଥିଲା 7 ତାରିଖ ଦିନ ମୃତ୍ୟୁ ହେଲା । ଶିକ୍ଷିତ ପିଲା କେବେ ବି ଜୀବନ ହାରିବ ନାହିଁ । ଅର୍ଥର ଅଭାବ କିଛିବି ନାହିଁ । ସେ ଦଶମ ପରୀକ୍ଷାରେ ଟପ୍ପର, ଯୁକ୍ତ 2ରେ ଟପ୍ପର, ଇଞ୍ଜିନିୟରିଂରେ ବି ଟପ୍ପର ଥିଲା । ଗେଟ ପାସ ପରେ ସେ ହାଇଦ୍ରାବାଦ ଆଇଆଇଟିରେ ଆଡମିଶନ କରିଥିଲା । ସିନିୟର ମାନଙ୍କ ରାଗିଂ ଯୋଗୁଁ ହୁଏତ ଏମିତି ହୋଇପାରେ । ''
ବିରମହରାଜପୁର ବ୍ଲକ ଉପାଧ୍ୟକ୍ଷ କହିଛନ୍ତି, ''ସୁଇସାଇଡ ନୋଟରେ ଉଲ୍ଲେଖ ରହିଚି ଅର୍ଥ ଅଭାବ ଓ ମାନସିକ ଚାପରୁ ଏପରି ଚରମ ନିଷ୍ପତ୍ତି ନେଇଛି ମମିତା । ଏହା ସମ୍ପୂର୍ଣ୍ଣ ଭୁଲ ତଥ୍ୟ । କିଛି ଦିନ ହେବ ସେ ହଷ୍ଟେଲକୁ ଯାଇଥିଲା । ଏତେ କମ ଦିନ ମଧ୍ୟରେ ପାଠରେ ଚାପ ଯୋଗୁଁ ସେ ଜୀବନ ହାରିଥିବା ଜମାବି ଯୁକ୍ତିଯୁକ୍ତ ନୁହେଁ । ଏହା ଆତ୍ମହତ୍ୟା ନୁହଁ ବରଂ ହତ୍ୟା । ତୁରନ୍ତ ଏ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ''
ଗତ ଅଗଷ୍ଟ 7ତାରିଖ ଦିନ ମମିତା ହଷ୍ଟେଲ୍ ଫ୍ୟାନରେ ଝୁଲୁଥିବା ତାଙ୍କ ସାଙ୍ଗ ମାନେ ଦେଖିବାକୁ ପାଇଥିଲେ । ଏନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେ ସାଙ୍ଗାରେଡ୍ଡି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା । ଏହାପରେ ମମିତାଙ୍କ ରୁମ୍ରୁ ଏକ ସୁଇ ସାଇଡ ନୋଟ ଜବତ ହୋଇଥିଲା । ଯେଉଁଥିରେ ସେ ଲେଖିଛନ୍ତି ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ମାନସିକ ଚାପ ଯୋଗୁଁ ଜୀବନ ହାରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଥିଲା । ଗତ 20 ଦିନ ମଧ୍ୟରେ ହାଇଦ୍ରାବାଦ ଆଇଆଇଟିରେ ଏହା ଦ୍ବିତୀୟ ମୃତ୍ୟୁ ମାମଲା ।
ଇଟିଭି ଭାରତ, ସୋନପୁର