ସୁବର୍ଣ୍ଣପୁର:ଅଭିଶପ୍ତ ଜୀବନ । ଭିନ୍ନକ୍ଷମ ହୋଇ ଜନ୍ମ ହେବା ଓ ନିଜର ସଂପର୍କୀୟ ପାଖରେ ଅଲୋଡା ହେଲେ । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଭିନ୍ନକ୍ଷମ ମହିଳା ଭାଗ୍ୟସିନୀ ଦୀପର କଥା । ପିଲାଟି ବେଳରୁ ବାମ ହାତ ଅଚଳ । ବିବାହ ହେବା ପାଇଁ ରାଜି ହେଉ ନ ଥିବା ଭାଗ୍ୟସିନୀକୁ କିନ୍ତୁ ବାପା ମାଆ ବୋଝ ଭାବି ବାହା କରିଦେଲେ । କିଛି ସମୟ ଶାଶୁ ଘରେ ରହିବା ପରେ ଭାଗ୍ୟସିନୀ ଜଣେ ଝିଅର ଜନନୀ ହେବାର ସୌଭାଗ୍ୟ ପାଇଥିଲେ । ହେଲେ ସ୍ବାମୀ ଓ ଶାଶୂ ଘର ଅତ୍ୟାଚାର ଦିନକୁ ଦିନ ବଢି ଚାଲିବା ପରେ ସେ ଶାଶୂ ଘର ଛାଡି ଏଣେ ତେଣେ ଆଶ୍ରୟ ନେଇ ଆଜକୁ ଚାରି ମାସ ହେଲା ନିରାଶ୍ରୟର ଜୀବନ ଜିଉଁଛନ୍ତି ସେ ।
ଜିଲ୍ଲାର ବିନିକା ବ୍ଳକ ଅନ୍ତର୍ଗତ ଭଣ୍ଡାର ଗ୍ରାମ ପଞ୍ଚାୟତ ଚୁଲିମାଲ ଗାଁର ରାଣା ପ୍ରତାପ ଦୀପଙ୍କୁ ବିବାହ କରିଥିଲେ । ହେଲେ ସ୍ବାମୀ ଓ ଶାଶୁଘରର ନିର୍ଯାତନା ସହି ନ ପାରି ଘର ଛାଡି ଆସି ସୁବର୍ଣ୍ଣପୁରର ଭେଣ୍ଡିଂ ଜୋନରେ ଆସି ରହୁଛନ୍ତି । ଭାଗ୍ୟସିନୀ ସାତ ମାସର ଗର୍ଭବତୀ ଥିବା ବେଳେ ଗୋଟିଏ ହାତ ଅଚଳ । ଅନ୍ୟ ହାତରେ ଯାହା କିଛି କାମ କରି ଭିକ୍ଷା ବୃତ୍ତି କରନ୍ତି ସେଥିରେ ମାଆ ଝିଅ ଚଳନ୍ତି । ତେବେ ଏନେଇ ଖବର ପାଇ ସହରର ସ୍ବେଚ୍ଛାସେବୀ ସଂଗଠନ ତାଙ୍କ ପାଖରେ ପହଞ୍ଚିବା ସହିତ ସମସ୍ତ ଘଟଣା ବିଷୟରେ ପଚାରି ବୁଝିଥିଲେ ।