ସୁବର୍ଣ୍ଣପୁର:ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବେଆଇନ ଗଞ୍ଜେଇ ଚୋରାଚାଲାଣ । ନୂଆ ନୂଆ ପନ୍ଥା ଆପଣାଇ ଓଡିଶାରୁ ଅନ୍ୟ ରାଜ୍ୟକୁ ହେଉଛି ଗଞ୍ଜେଇ ଚାଲାଣ । ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ସମୟରେ ମାଡିବସିଲା ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ସୁବର୍ଣ୍ଣପୁର ସହର ଦେଇ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗର ଚଢାଉ କରି ଚାରି କ୍ବିଣ୍ଟାଲ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଅବକାରୀ ବିଭାଗର କର୍ମଚାରୀ ମାନେ ଏକ ଆମ୍ବୁଲାନ୍ସକୁ ସନ୍ଦେହ କରି ସହରର ପ୍ରବେଶ ପଥ କୁଞ୍ଜ ହୋଟେଲ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଦ୍ରୁତ ବେଗରେ ଆମ୍ବୁଲାନ୍ସ ନେଇ ସହର ଭିତରକୁ ଯାଉଥିଲା । ଶେଷରେ ଅବକାରୀ ବିଭାଗ ଆମ୍ବୁଲାନ୍ସଟିକୁ ପିଛା କରି ସହରର ବ୍ଳକ ଛକରେ ଅଟକାଇବାରେ ସକ୍ଷମ ହୋଇଥିଲା । ଏହାପରେ ଡ୍ରାଇଭର ଜଣଙ୍କ ଗାଡିରୁ ଓହ୍ଲାଇ ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅବକାରୀ କର୍ମଚାରୀ ମାନେ ତାକୁ କାବୁ କରି ଗାଡିକୁ ଯାଞ୍ଚ କରିଥିଲେ ।
ଏହି ସମୟରେ ଗାଡି ମଧ୍ୟରୁ 420ଟି ଗଞ୍ଜେଇ ପ୍ୟାକେଟ ଜବତ ହୋଇଥିଲା । ଯେଉଁଥିରୁ ପ୍ରାୟ ଚାରି କ୍ବିଣ୍ଟାଲ କୋଡିଏ କେଜି ଗଞ୍ଜେଇ ରହିଥିବା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି । ବିଭିନ୍ନ ସମୟର ବୌଦ୍ଧ ଜିଲ୍ଲା ଶଗଡା ,କଣ୍ଟାମାଳ ଓ ବାଉଁଶୁଣି ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ଏହି ଚୋରାଚାଲାଣ ରୋକିବାରେ ବିଫଳ ହେଉଥିବା ବେଳେ ଆଜି ସଫଳ ହୋଇଛି।