ସୁବର୍ଣ୍ଣପୁର: ଜିଲ୍ଲା ସଦର ମହକୁମାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ଦାବି ହୋଇଛି । ଏପରିକି ଏହି ଦାବିକୁ ବୀରମହାରାଜପୁର ବିଧାୟକ ତଥା ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମର୍ଥନ କରୁଥିବା ଓକିଲ ସଂଘ କହିଛି ।
ଜିଲ୍ଲା ଓକିଲ ସଂଘ ସଭାପତି ସର୍ବେଶ୍ବର ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଓକିଲ ସଂଘ ପକ୍ଷରୁ ସଦର ମହକୁମାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା । ପଶ୍ଚିମ ଓଡିଶାର ମଧ୍ୟ ଭାଗରେ ସୁବର୍ଣ୍ଣପୁର ସହର ଥିବାରୁ ପଡୋଶୀ ଜିଲ୍ଲାମାନେ ହଇରାଣ ହେବେ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ମନ୍ତ୍ରୀ ଦ୍ବୟଙ୍କୁ ରାଜ୍ୟ ସରକାରଙ୍କ ପାଖରେ ଜିଲ୍ଲା ଓକିଲ ସଂଘର ଏହି ଏକମାତ୍ର ଦାବୀକୁ ଉପସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଛି ।