ସୁବର୍ଣ୍ଣପୁର: ଆକାଶରୁ ବର୍ଷୁଛି ନିଆଁ । ତତଲା କଡେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର ସହର । ହେଲେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ପୌର ପରିଷଦ ପକ୍ଷରୁ ପିଇବା ପାଣିର ବ୍ୟବସ୍ଥା କରାଯାଇ ପାରିନାହିଁ । ସହରରେ ପୌର ପରିଷଦ ପକ୍ଷରୁ ତିଆରି ହୋଇଥିବା ଅଧିକାଂଶ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଫେଲ ମାରିଥିବା ବେଳେ ଜନଗହଳିପୂର୍ଣ୍ଣ ଛକ ଗୁଡିକରେ ଜଳଛତ୍ରର ବି ବ୍ୟବସ୍ଥା କରାଯାଇ ପାରିନାହିଁ । ବିଭିନ୍ନ କାର୍ଯ୍ୟ ପାଇଁ ସଦର ମହକୁମାକୁ ଆସୁଥିବା ଲୋକଙ୍କ ପାଇଁ ଥଣ୍ଡା ପାନୀୟ ଜଳ ଟୋପାଏ ମିଳିବା ହୋଇଛି ସ୍ବପ୍ନ । ଥଣ୍ଡା ପାନୀୟ ପ୍ରକଳ୍ପଗୁଡିକ ମରାମତି କରିବା ସହିତ ନୂତନ ପ୍ରକଳ୍ପ ତିଆରି ପାଇଁ ଯେତେ ଯାହା ଦାବି ଆପତ୍ତି କଲେ ବି କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ତେଲନଦୀ ଓ ମହାନଦୀ କୂଳରେ ଗଢି ଉଠିଛି ଏହି ଐତିହାସିକ ସହର । ହେଲେ ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଥଣ୍ଡା ପାନୀୟ ଜଳ ଟୋପାଏ ଲୋକଙ୍କ ପାଇଁ ସ୍ବପ୍ନ ହୋଇଛି । ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ଛକ ଗୁଡିକରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ତିଆରି କରାଯାଇଛି । ହେଲେ ଅଧିକାଂଶ ପାନୀୟ ଜଳ ପ୍ରକଳ୍ପ ମରାମତି ଅଭାବରୁ ଫେଲ ମାରିଥିବା ବେଳେ କିଛି ପ୍ରକଳ୍ପରେ ମେସିନ ଅଚଳ ଯୋଗୁଁ ଗରମ ପାଣି ବାହାରୁଛି । ଅନେକ ପ୍ରକଳ୍ପର ପାଣି ଟ୍ୟାପ୍ ଭାଙ୍ଗି ଯାଇଥିବା ବେଳେ କିଛି ପ୍ରକଳ୍ପର ଗୋଟିଏ ଟ୍ୟାପ୍ କାମ କରୁଛି । ଫଳରେ ପ୍ରଚଣ୍ଡ ଗ୍ରୀଷ୍ମରେ ପାଣି ଟୋପାଏ ପାଇଁ ପ୍ରକଳ୍ପକୁ ଦୌଡି ଯାଉଥିବା ଲୋକଟି ନିରାଶ ହେବା ସାର ହେଉଛି । ପ୍ରକଳ୍ପ ଗୁଡିକ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବା ସହିତ ନୂତନ ପ୍ରକଳ୍ପ ତିଆରି କରିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ପୌର ପରିଷଦ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି ।