ସୁବର୍ଣ୍ଣପୁର:ନିଆଁ ଲାଗି ଫାଟିଲା ଗ୍ୟାସ ସିଲିଣ୍ଡର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦୋକାନରେ ଶୁକ୍ରବାର ରାତିରେ ନିଆଁ ଲାଗି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏଥିରେ କେହି ମୃତାହତ ହୋଇ ନ ଥିଲେ ହେଁ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଭୟଭୀତ ଥିବା ଜଣାପଡିଛି ।
ବିରମହାରାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଚମ୍ପାମାଳ ଗାଁର ପିତାମ୍ବର ଥନାପତି ନାମକ ଜଣେ ବ୍ୟକ୍ତି ଉଠା ଦୋକାନଟିଏ କରିଥିଲେ । ସେଠାରେ ସେ ଚା’ ବିସ୍କୁଟ ବିକ୍ରି କରନ୍ତି । ହେଲେ କୌଣସି କାରଣରୁ ଦୋକାନରେ ନିଆଁ ଲାଗି ଯାଇଥିଲା । ଆଉ ଦୋକାନରେ ଥିବା ଗ୍ୟାସ୍ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।